Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷକ ଆନ୍ଦୋଳନ ସମୟରେ ଚାପ ପକାଯାଉଥିଲା, ଟୁଇଟର ବ୍ଲକ୍ କରିବାକୁ ଧମକ ମିଳୁଥିଲା; ମୋଦୀ ସରକାର ଉପରେ ଜ୍ୟାକଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଟୁଇଟରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି ମୋଦୀ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଜ୍ୟାକ୍ ଡୋର୍ସି କହିଛନ୍ତି, କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ସମୟରେ ଅନେକ ଟୁଇଟର ହ୍ୟାଣ୍ଡେଲ୍ସ ବ୍ଲକ୍ କରିବାକୁ କୁହାଯାଇଥିଲା। ଏମିତି ନ କଲେ ଟୁଇଟର କର୍ମଚାରୀଙ୍କୁ ଗିରଫ କରିବାକୁ ଧମକ ମଧ୍ୟ ଦିଆଯାଇଥିଲା ବୋଲି ଜ୍ୟାକ୍ କହିଛନ୍ତି। ଅନ୍ୟପଟେ ଟୁଇଟରର ପୂର୍ବତନ ସିଇଓଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି କେନ୍ଦ୍ରୀୟ ବୈଦ୍ୟୁତିକ ଏବଂ ବୈଷେୟିକ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର।

ଜ୍ୟାକ୍ ଡୋର୍ସି ଏକ ସାକ୍ଷାତକାରରେ କହିଛନ୍ତି, ସମଗ୍ର ଦୁନିଆର ଶକ୍ତିଶାଳୀ ଲୋକ ପାଖକୁ ଆସନ୍ତି ଏବଂ ଅନେକ ପ୍ରକାରର ଦାବି କରନ୍ତି। ଭାରତ ଏକ ଏମିତି ଦେଶ, ଯେଉଁଠି କୃଷକ ଆନ୍ଦୋଳନ ସମୟରେ ଆମ ନିକଟକୁ ବହୁତ ଗୁଡ଼ାଏ ଦାବି ଆସିଥିଲା। କିଛି ଖାସ୍ ସାମ୍ବାଦିକ ସରକାରଙ୍କ ସମାଲୋଚକ ଥିଲେ। ଏମାନଙ୍କ ଟୁଇଟ୍ ବନ୍ଦ କରିବାକୁ ଆମକୁ କୁହାଯାଇଥିଲା। ଯଦି ଆମର କଥା ନ ମାନିବ ତେବେ କର୍ମଚାରୀଙ୍କ ଘରେ ଚଢାଉ କରାଯିବ ଏବଂ ଟୁଇଟର ଅଫିସ ବନ୍ଦ କରି ଦିଆଯିବ। ଭାରତ ପରି ଗଣତାନ୍ତ୍ରିକ ଦେଶରେ ଏମିତି ହେଉଥିଲା ବୋଲି ଜ୍ୟାକ୍ ଡୋର୍ସି କହିଛନ୍ତି।

ଜ୍ୟାକ୍ ଡୋର୍ସିଙ୍କ ଅଭିଯୋଗ ଉପରେ ରାଜୀବ ଚନ୍ଦ୍ରଶେଖର ଜବାବ ଦେଇ କହିଛନ୍ତି, ଟୁଇଟର ଇତିହାସର ଏକ ସନ୍ଦିଗ୍ଧ ଏବଂ ମଳିନ ସମୟକୁ ସ୍ଵଚ୍ଛ କରିବା ପାଇଁ ଏକ ଅପପ୍ରୟାସ। ଟୁଇଟର ଏମିତି ବ୍ୟବହାର କରିଛି ଯେମିତି ତା ଉପରେ ଭାରତୀୟ ଆଇନ ଲାଗୁ ହୋଇ ପାରିବ ନାହିଁ। ଭାରତ ଏକ ସାର୍ବଭୌମତ୍ଵ ରାଷ୍ଟ୍ର ଏବଂ ତାଙ୍କୁ ଅଧିକାର ଯେ, ସେ ସୁନିଶ୍ଚିତ କରିବେ ଯେ ଭାରତରେ କାମ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ଆଇନର ପାଳନ କରିବେ।

୨୦୨୧ ଜାନୁଆରୀରେ ହୋଇଥିବା କୃଷକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଅନେକ ଭୁଲ୍ ସୂଚନା ପ୍ରଚାର କରାଯାଉଥିଲା। ଏଥିପାଇଁ ଭାରତ ସରକାର ଏମିତି ସୂଚନାକୁ ପ୍ଲାଟଫର୍ମରୁ ହଟାଇବା ପାଇଁ ବାଧ୍ୟ ଥିଲେ। ଏପରିକି ନରସଂହାର ରିପୋର୍ଟ ଆସୁଥିଲା, ଯାହା ନିଶ୍ଚିତ ରୂପେ ଗୁଜବ ଖବର ଥିଲା। ଏମିତି ଭ୍ରମିତ ଏବଂ ଗୁଜବ ସୂଚନା ପ୍ରଚାର କରି ସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରାଯାଇଥିଲା। ଜ୍ୟାକଙ୍କ ସିଇଓ ସମୟରେ ଟୁଇଟରରେ ପକ୍ଷପାତ ହେଉଥିଲା। ଭାରତରେ ପ୍ଲାଟଫର୍ମରୁ ଗୁଜବ ଖବର ହଟାଇବା ଏକ ସମସ୍ୟା ଥିଲା। ମାତ୍ର ଜ୍ୟାକ୍ ଆମେରିକାର ଏହି ଧରଣର ଘଟଣା ଉପରେ ଗୁଜବ ଖବରକୁ ତୁରନ୍ତ ପ୍ଲାଟଫର୍ମରୁ ହଟାଇଥିଲେ ବୋଲି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।