Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିପୁରୁଷକୁ ନେଇ ନେପାଳରେ ହଙ୍ଗାମା, କାଠମାଣ୍ଡୁରେ ଆଜିଠୁ ହିନ୍ଦୀ ଫିଲ୍ମ ଉପରେ ବ୍ୟାନ୍

ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ସମଗ୍ର ଦେଶରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଲାଗି ରହିଛି। ଏବେ ଏହାର ପ୍ରଭାବ ନେପାଳର ରାଜଧାନୀ କାଠମାଣ୍ଡୁରେ ମଧ୍ୟ ଦେଖିବାକୁ ମିଳିଲାଣି। ଫିଲ୍ମରେ ଆପତ୍ତିଜନକ ଶବ୍ଦ ଏବଂ ମାତା ସୀତାଙ୍କ ଚିତ୍ରଣକୁ ନେଇ କାଠମାଣ୍ଡୁରେ ସମସ୍ତ ହିନ୍ଦୀ ଫିଲ୍ମର ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଛି। ସହରର ଉଚ୍ଚପଦସ୍ଥ ଅଧିକାରୀ ରବିବାର ଏହାର ଘୋଷଣା କରିଛନ୍ତି। କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହ କହିଛନ୍ତି କାଠମାଣ୍ଡୁ ସହରରେ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଉପରେ ନିଷେଧାଦେଶ ଜାରି କରାଯାଉଛି। କାରଣ ଫିଲ୍ମ ‘ଆଦିପୁରୁଷ’ରେ ଆପତ୍ତିଜନକ ସଂଳାପ ପ୍ରୟୋଗ କରାଯାଇଛି। ଏହାକୁ ନ ହଟାଇଲେ ଅପୂରଣୀୟ କ୍ଷତି ଘଟିବ।

ଶାହା କହିଛନ୍ତି, ଆମେ ତିନି ଦିନ ପୂର୍ବରୁ ଫିଲ୍ମରେ ସୀତା ମାତା ଭାରତର ଝିଅ ଏହି ସଂଳାପର ଆପତ୍ତିଜନକ ଅଂଶକୁ ୩ ଦିନ ଭିତରେ ହଟାଇବା ପାଇଁ ନୋଟିସ୍ ଦେଇଥିଲୁ। ଯଦି ଫିଲ୍ମର ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଏ ତେବେ ଆମର ରାଷ୍ଟ୍ରୀୟତା, ସାଂସ୍କୃତିକ ଏକତାର ଅପୂରଣୀୟ କ୍ଷତି ଘଟିବ। ତେଣୁ ସହରର ସମସ୍ତ ୧୭ ସିନେମାହଲରେ ପ୍ରଦର୍ଶିତ ହେଉଥିବା ସମସ୍ତ ହିନ୍ଦୀ ଫିଲ୍ମ ଉପରେ ରୋକ୍ ଲଗାଯିବ। ଏ ନେଇ ସିନେମାଘରର ମାଲିକ ମଧ୍ୟ ସହମତି ପ୍ରଦାନ କରିଛନ୍ତି।

ସେ କହିଛନ୍ତି ସୋମବାରଠୁ ହିନ୍ଦୀ ଫିଲ୍ମ ବଦଳରେ ସିନେମା ହଲରେ ନେପାଳୀ ଫିଲ୍ମ ପ୍ରଦର୍ଶିତ ହେବ। ଉଲ୍ଲେଖନୀୟ ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଏକ ‘ଆଦିପୁରୁଷ’ର ଡାଇଲଗକୁ ନେଇ ସାମାଜିକ ଗଣମାଧ୍ୟମରେ ନିର୍ମାତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ସିନେ ସମୀକ୍ଷକ ମଧ୍ୟ ଫିଲ୍ମର ଡାଇଲଗଠୁ ନେଇ କଳାକାରଙ୍କ ବେଶଭୂଷାକୁ ନାପସନ୍ଦ କରିଛନ୍ତି। ଫିଲ୍ମକୁ ଦେଖିବା ପରେ ଭାରତୀୟ ଫିଲ୍ମ ଇତିହାସରେ ଆଦିପୁରୁଷ ସବୁଠୁ ନିମ୍ନମାନର ଚଳଚ୍ଚିତ୍ର ବୋଲି ଦର୍ଶକ କହୁଛନ୍ତି।

ଏହା ପରେ ଲେଖକ ମନୋଜ ମୁନ୍ତାଶିର ଏବଂ ନିର୍ଦ୍ଦେଶକ ଓମ ରାଉତ ଟିଭି ଇଣ୍ଟରଭ୍ୟୁରେ ସଫେଇ ଦେଇଥିଲେ ମଧ୍ୟ ଜନତାଙ୍କ ଅସନ୍ତୋଷକୁ ଏହା ଶାନ୍ତ କରି ପାରିନାହିଁ ଏବଂ ଫିଲ୍ମର ବିରୋଧ ବଢିବାରେ ଲାଗିଛି। ଏହାପରେ ଗତକାଲି ମନୋଜ ପୁନ୍ତାଶିର ଏକ ଲମ୍ବା ଚଉଡା ପୋଷ୍ଟ କରିଥିଲେ। ସେ ଆଶ୍ଵସନ ଦେଇଛନ୍ତି ଯେ, ଫିଲ୍ମର କିଛି ଡାଇଲଗ୍ ହଟାଇ ଦିଆଯିବ। ଫିଲ୍ମର ଟିମ୍ ଲୋକଙ୍କ ପ୍ରତିକ୍ରିୟା ଏବଂ ଭାବନାକୁ ଦେଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ମନୋଜ କହିଛନ୍ତି, ଖୁବ୍ ଶୀଘ୍ର ସଂଳାପ ସଂଶୋଧନ ସହିତ ଫିଲ୍ମ ସିନେମାଘରକୁ ଆସିବ।

More Stories