Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜ୍ଞାପନ ଉପରେ କେତେ ଖର୍ଚ୍ଚ କରିଛନ୍ତି ଜଣାନ୍ତୁ; ତାଗିଦ୍ କରି କେଜରିଓ୍ଵାଲ ସରକାରଙ୍କୁ ହିସାବ ମାଗିଲେ SC

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀର ଅରବିନ୍ଦ କେଜରିଓ୍ଵାଲ ସରକାରଙ୍କୁ ତାଗିଦ୍ କରି ବିଜ୍ଞାପନ ବାବଦରେ କେତେ ଖର୍ଚ୍ଚ କରାଯାଇଛି ତାର ତଥ୍ୟ ମାଗିଛନ୍ତି। ଦିଲ୍ଲୀ ସରକାର ରିଜିଓନାଲ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ(ଆରଆରଟିଏସ) ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଇବାରେ ନିଜକୁ ଅସମର୍ଥ କହିଥିଲା। ଏହା ଉପରେ ସୁପ୍ରିମକୋର୍ଟ ଗତ ୩ ଆର୍ଥିକ ବର୍ଷରେ ବିଜ୍ଞାପନ ଉପରେ ହୋଇଥିବା ଖର୍ଚ୍ଚର ପୂରା ତଥ୍ୟ ମାଗିଛନ୍ତି।

ଉଲ୍ଲେଖନୀୟ ଏହି ପାଣ୍ଠି ରାଜଧାନୀ ଦିଲ୍ଲୀକୁ ରାଜସ୍ଥାନ ଏବଂ ହରିୟାନା ସହ ସଂଯୋଗ କରୁଥିବା ଆରଆରଟିଏସ ପ୍ରକଳ୍ପର ନିର୍ମାଣ ଉପରେ ଖର୍ଚ୍ଚ କରାଯିବାର ଥିଲା। ବିଚାରପତି ଏସକେ କୌଲ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ଆପ୍ ସରକାରଙ୍କୁ ୨ ସପ୍ତାହ ଭିତରେ ବିଜ୍ଞାପନ ଖର୍ଚ୍ଚର ରିପୋର୍ଟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସେହି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେତେବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ଆଇନଜୀବୀ କହିଥିଲେ ଯେ, ପାଣ୍ଠିର ଅଭାବ ରହିଛି ଏବଂ ଆର୍ଥିକ ସହାୟତା ଯୋଗାଇବାରେ ଆମେ ଅକ୍ଷମ।

ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ ଚାହାନ୍ତି କି ଆମେ ଜାଣୁ ଯେ ଆପଣଙ୍କ କେଉଁ ପାଣ୍ଠି କେଉଁ ଭଳି ଖର୍ଚ୍ଚ କରିଛନ୍ତି। ବିଜ୍ଞାପନର ସମସ୍ତ ଫଣ୍ଡ ଏହି ପ୍ରକଳ୍ପ ପାଇଁ ବିନିଯୋଗ କରାଯାଉ। କଣ ଆପଣ ଏହି ଧରଣର ଆଦେଶ ଚାହାନ୍ତି ? ଆପଣ ପରୋକ୍ଷରେ ଏମିତି କରିବାକୁ ଚାହୁଁଛନ୍ତି।

ପୀଠ କହିଛନ୍ତି, ଦିଲ୍ଲୀ ସରକାର ମିଳିତ ପ୍ରୋଜେକ୍ଟ ପାଇଁ ପାଣ୍ଠି ଦେବାକୁ ଅସମର୍ଥ ଜଣାଇଛି। କାରଣ ଅର୍ଥାଭାବ ହିଁ ଏହି ପ୍ରକଳ୍ପର ବଡ଼ ବାଧକ ସାଜିଛି। ତେଣୁ ଆମେ ଏନସିଟି ଦିଲ୍ଲୀକୁ ବିଜ୍ଞାପନ ବାବଦରେ କେତେ ଖର୍ଚ୍ଚ ହୋଇଛି ତାର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଉଛୁ। କାରଣ ଏହି ପ୍ରକଳ୍ପ ରାଷ୍ଟ୍ରୀୟ ମହତ୍ଵ ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ