Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଆଉ ୬ ରାଜ୍ୟରେ ରାଜ୍ୟ ସଭାପତି ବଦଳାଇବ ବିଜେପି, କ୍ୟାବିନେଟରେ ପରିବର୍ତ୍ତନ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ବିଜେପି ମଙ୍ଗଳବାର ପଞ୍ଜାବ, ତେଲଙ୍ଗାନା ଏବଂ ଝାଡ଼ଖଣ୍ଡ ସମେତ ୪ ରାଜ୍ୟର ସଭାପତି ପରିବର୍ତ୍ତନ କରିଛି। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସଂଗଠନରେ ଏହି ପରିବର୍ତ୍ତନ ବିଜେପି ପକ୍ଷରୁ ରାଜ୍ୟଓ୍ଵାରୀ ରଣନୀତିର ବଡ଼ ସଙ୍କେତ। ଏହି କ୍ରମରେ ବିଜେପି ଏବେ ୬ ଆଉ ରାଜ୍ୟରେ ରାଜ୍ୟ ସଭାପତି ପରିବର୍ତ୍ତନ କରିବାକୁ ଯାଉଛି। ଏହାକୁ ନେଇ ଆଗାମୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବିଜେପି ଯେଉଁ ରାଜ୍ୟରେ ସଭାପତି ବଦଳାଇପାରେ ସେଥିରେ ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ ଏବଂ କେରଳ ସାମିଲ୍। ସୂତ୍ର ଅନୁଯାୟୀ, ପଦ ଛାଡ଼ିଥିବା ଅନେକ ରାଜ୍ୟର ସଭାପତିଙ୍କୁ ମୋଦୀ ସରକାରରେ ଏଣ୍ଟ୍ରି ମିଳିପାରେ।

ସବୁଠୁ ଅଧିକ ଚର୍ଚ୍ଚା ଗୁଜରାଟ ବିଜେପି ସଭାପତି ସିଆର ପାଟିଲଙ୍କର, ଯିଏ ଲୋକସଭା ସାଂସଦ ଅଛନ୍ତି। ଏଥିପାଇଁ ତାଙ୍କୁ ମୋଦୀ ସରକାରରେ ଏଣ୍ଟ୍ରି ମିଳିବା ସହଜ ହୋଇପାରେ। ସିଆର ପାଟିଲ ୨୦୧୪ରେ ସେ ନଓ୍ଵସାରୀ ସିଟରୁ ଜିତିଥିଲେ। ଚର୍ଚ୍ଚା ଏହା ମଧ୍ୟ ଚାଲିଛି ଯେ, ତାଙ୍କୁ ମନ୍ତ୍ରୀ ପରିବର୍ତ୍ତେ ସଂଗଠନରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇପାରେ। ସେ ନରେନ୍ଦ୍ର ମୋଦୀଙ୍କ ଭରସାଯୋଗ୍ୟ ନେତାଙ୍କ ମଧ୍ୟରୁ ଜଣେ।

ପାଟିଲଙ୍କ ବ୍ୟତୀତ ମଧ୍ୟପ୍ରଦେଶର ସଭାପତି ଭିଡି ଶର୍ମା ମଧ୍ୟ କେନ୍ଦ୍ର ମନ୍ତ୍ରୀ ହୋଇ ପାରନ୍ତି। ସେ ରାଜ୍ୟର ଖୋଜୁରାହ ଲୋକସଭା ଆସନରୁ ସାଂସଦ। ଭିଡି ଶର୍ମାଙ୍କୁ ମଧ୍ୟପ୍ରଦେଶରୁ ଦିଲ୍ଲୀ ଆଣିବାକୁ ନିଷ୍ପତ୍ତି ହୋଇ ସାରିଛି। ମାତ୍ର ଉତ୍ତରାଧିକାରୀ ଉପରେ ଅନ୍ତିମ ନିଷ୍ପତ୍ତି ବାକି ରହିଛି। ଏଥିପାଇଁ ରାଜ୍ୟ ସଭାପତି ଘୋଷଣାରେ ବିଳମ୍ବ ଘଟିପାରେ। ଭିଡି ଶର୍ମାଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, କୈଳାଶ ବିଜୟବର୍ଗୀୟ ଏବଂ ସାଂସଦ ସୁମେର ସିଂ ସୋଲାଙ୍କିଙ୍କ ନାମ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ଗତକାଲି ତେଲେଙ୍ଗାନା, ପଞ୍ଜାବ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରେ ବିଜେପି ନୂତନ ମୁଖ୍ୟ ନିଯୁକ୍ତ କରିଛି। ଜି କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାଡଖଣ୍ଡ ଏବଂ ସୁନୀଲ ଜାଖରଙ୍କୁ ପଞ୍ଜାବର ନୂତନ ସଭାପତି ଏବଂ ଡି ପୁରନ୍ଦେଶ୍ଵରୀଙ୍କୁ ଆନ୍ଧ୍ର ପ୍ରଦେଶର ସଭାପତି ଭାବେ ନିଯୁକ୍ତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ