ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସଂପର୍କ ପଡ଼ିଲା ମହଙ୍ଗା, ସସପେଣ୍ଡ ହେଲେ ମନୀଷ ଦୁବେ

ଲକ୍ଷ୍ନୌ: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହିତ ପ୍ରେମ ବ୍ୟାପାରକୁ ନେଇ ଚର୍ଚ୍ଚାରେ ଥିବା ମହୋବାର ହୋମଗାର୍ଡ କମାଣ୍ଡେଣ୍ଟ ମନୀଷ ଦୁବେଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ତଦନ୍ତ ପରେ ଦୁବେଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଉତ୍ତର ପ୍ରଦେଶ ହୋମଗାର୍ଡର ଡିଜି ବିଜୟ କୁମାର ବୁଧବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡିଆଇଜି ହୋମଗାର୍ଡ ପ୍ରୟାଗରାଜ ମାମଲାର ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ମନୀଷ ଦୁବେଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ଆଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଜ୍ୟୋତି ମୌର୍ଯ୍ୟଙ୍କ ସ୍ଵାମୀ ଆଲୋକ କୁମାର ଗତ ଦିନରେ ଅଭିଯୋଗ କରିଥିଲେ ଯେ, ପିସିଏସ୍ ହେବା ପରେ ତାଙ୍କ ପତ୍ନୀ ଏବଂ ମନୀଷ ଦୁବେଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହି କାରଣରୁ ବର୍ତ୍ତମାନ ତାଙ୍କ ପତ୍ନୀ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି। ଆଲୋକ ଉଭୟଙ୍କ ଉପରେ ନିଜର ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଥିଲେ। ତାଙ୍କ ଅନୁସାରେ ଯେବେ ସେ ବିବାହ କଲେ ତାଙ୍କ ପତ୍ନୀ କେବଳ ଯୁକ୍ତ ୨ ଯାଏ ପଢିଥିଲେ। ଆଲୋକ କେବଳ ପତ୍ନୀଙ୍କୁ ପାଠ ପଢିବା ପାଇଁ ପ୍ରୋତ୍ସାହିତ କରି ନ ଥିଲେ ବରଂ ତାଙ୍କ ପାଇଁ ବହୁତ ପରିଶ୍ରମ କରି ପରିବାର ସମ୍ଭାଳିଥିଲେ। ୨୦୧୦ରେ ଉଭୟଙ୍କ ବିବାହ ହୋଇଥିଲା। ଦୁହିଁଙ୍କ ୨ଟି ପିଲା ମଧ୍ୟ ଅଛନ୍ତି। ଏପରିକି ଆଲୋକ ନିଜ ପତ୍ନୀଙ୍କ ସିଭିଲ ସର୍ଭିସ୍ ପ୍ରସ୍ତୁତି ପାଇଁ ଋଣ କରିଥିଲେ।
୨୦୧୫ରେ ଜ୍ୟୋତି ୟୁପିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପିସିଏସ୍ ଅଧିକାରୀ ହୋଇଗଲେ। ଏହାର କିଛି ସମୟ ଯାଏ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ଜ୍ୟୋତିଙ୍କ ଜୀବନରେ ହୋମଗାର୍ଡ କମାଣ୍ଡେଣ୍ଟ ମନୀଷ ଦୁବେଙ୍କ ଏଣ୍ଟ୍ରି ହୋଇଥିଲା। ଆଲୋକଙ୍କ କହିବା କଥା ସେ ଦିନେ ମନୀଷଙ୍କୁ ଜ୍ୟୋତିଙ୍କ ସରକାରୀ ବାସଭବନରେ ଦେଖିଥିଲେ। ଉଭୟଙ୍କ ସଂପର୍କ ଉପରେ ଆପତ୍ତି କରିବାରୁ ଜ୍ୟୋତି ଏବଂ ମନୀଷ କ୍ରୋଧିତ ହୋଇଥିଲେ। ଏହା ପରଠୁ ଜ୍ୟୋତି ଏବଂ ଆଲୋକଙ୍କ ସମ୍ପର୍କ ଖରାପ ହୋଇଥିଲା।