କଳାହାଣ୍ଡି,୧୯/୦୭-ସାପକାମୁଡ଼ାରେ ଗୁରୁତର ଜଣେ ନାବାଳିକାଙ୍କ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିଛି | ଏନେଇ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି | ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡରୀ ଗ୍ରାମପଞ୍ଚାୟତ କାଡ଼ମ ଗାଁର ତେଜ ବିଶିଙ୍କ ନାବାଳିକା ଝିଅ ନନ୍ଦିନୀ ମଙ୍ଗଳବାର ରାତିରେ ନିଜ ମାଆ ଓ ଭାଇଭଉଣୀଙ୍କ ସହିତ ଖାଇପିଇ ଶୋଇଥିଲା | ଶୋଇଥିବାବେଳେ ତାକୁ ଏକ ବିଷାକ୍ତ ସାପ କାମୁଡ଼ିଦେବାରୁ ସେ ଉଠିପଡ଼ି ଘର ଲୋକଙ୍କୁ ଜଣାଇଥିଲା | ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ | ସେଠାରେ ଆଜି ପାହାନ୍ତି ପ୍ରହରରୁ ନାବାଳିକାର ମୃତ୍ୟୁ ଘଟିଥିଲା | ଏ ସଂପର୍କରେ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ସହିତ ତଦନ୍ତ କରାଯାଇ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି |