Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ସୀମା: ଫେସବୁକ ପ୍ରେମକୁ ପାଇବା ପାଇଁ ସ୍ଵାମୀକୁ ଛାଡ଼ି ପାକିସ୍ତାନ ଚାଲିଗଲେ ଅଞ୍ଜୁ

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲା ଶାନ୍ତ ନ ହେଉଣୁ ଆଉ ଏକ ସୀମା କାହାଣୀ ସାମ୍ନାକୁ ଆସିଛି। ନିଜର ଫେସବୁକ ପ୍ରେମକୁ ପାଇବା ପାଇଁ ରାଜସ୍ଥାନର ଅଞ୍ଜୁ ସୀମା ଅତିକ୍ରମ କରି ପାକିସ୍ତାନ ଚାଲି ଯାଇଛନ୍ତି। ଅଞ୍ଜୁ ଅଲଓ୍ଵରରେ ନିଜ ସ୍ଵାମୀଙ୍କ ସହ ରହୁଥିଲେ। ପାକିସ୍ତାନ ଚାଲି ଯିବା ପରେ ଅଞ୍ଜୁଙ୍କ ସ୍ଵାମୀ କହିଛନ୍ତି ଯେ, ଅଞ୍ଜୁ ତାଙ୍କୁ ଧୋକା ଦେଇଛନ୍ତି। ୩୪ ବର୍ଷୀୟ ଅଞ୍ଜୁଙ୍କ ଦୁଇଟି ପୁଅ ଅଛନ୍ତି। ଗତ ୨-୩ ବର୍ଷ ହେବ ଅଞ୍ଜୁ ଜଣେ ପାକିସ୍ତାନୀ ଯୁବକ ନସରୁଲ୍ଲାଙ୍କ ସହ ସଂପର୍କରେ ଥିଲେ। ଆଉ ଗତକାଲି ନିଜ ପ୍ରେମକୁ ପାଇବା ପାଇଁ ସେ ସ୍ଵାମୀ ଏବଂ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି।

ଅଞ୍ଜୁଙ୍କ ସ୍ଵାମୀ ଅରବିନ୍ଦ କୁମାର କହିଛନ୍ତି, ଅଞ୍ଜୁ ମୋତେ ଜଣେ ସାଙ୍ଗକୁ ଭେଟିବାକୁ ଜୟପୁର ଯାଉଛି ବୋଲି କହିଥିଲେ। ଗତକାଲି ରାତିରେ ମୋ ନିକଟକୁ ଏକ ଭଏସ କଲ୍ ଆସିଥିଲା। ଆଉ ସେଥିରେ ଅଞ୍ଜୁ ଲାହୋରରେ ଥିବା କହିଥିଲା। ମୋତେ ଜଣା ନାହିଁ ସେ ଲାହୋର କାହିଁକି ଯାଇଛି। ମୋତେ ଏହା ମଧ୍ୟ ଜଣା ନାହିଁ ଯେ, ତାକୁ ଭିସା ଏବଂ ଅନ୍ୟ ଜରୁରୀ କାଗଜପତ୍ର କେମିତି ମିଳିଲା। ମୁଁ ମୋ ପତ୍ନୀଙ୍କ ଫୋନ ଛୁଏ ନାହିଁ କି ମେସେଜ ପଢେ ନାହିଁ। ଏହା ସୀମା ହାଇଦର ପରି ମାମଲା ନୁହେଁ ବୋଲି ଅଞ୍ଜୁଙ୍କ ସ୍ଵାମୀ ଅରବିନ୍ଦ କୁମାର କହିଛନ୍ତି।

ମୁଁ ଏ ପର୍ଯ୍ୟନ୍ତ ପୋଲିସରେ ଅଭିଯୋଗ କରି ନାହିଁ। ପ୍ରଥମ ଥର ସେ ବିନା କିଛି କହି ଚାଲି ଯାଇଛି। ମୋ ପ୍ରତି ଧୋକା ହୋଇଛି। ମୁଁ ତାଙ୍କ ପରିବାର ଲୋକଙ୍କ ସହ କଥା ହେବି ଏବଂ ଏକାଠି ବସି ଆଲୋଚନା କରିବୁ ଏବଂ ଆଗାମୀ ପଦକ୍ଷେପ ବିଷୟରେ ବିଚାର କରିବୁ। ମୋର ସରକାରଙ୍କୁ ଅପିଲ୍ ଯେ, ଯଦି ଅଞ୍ଜୁ ପାଖରେ ବୈଧ୍ୟ ଭିସା ଏବଂ କାଗଜପତ୍ର ଅଛି ତେବେ ତାକୁ ଭାରତ ଆସିବାକୁ ଦିଆଯାଉ ବୋଲି ଅରବିନ୍ଦ କହିଛନ୍ତି।

ଅନ୍ୟପଟେ ଅଞ୍ଜୁ ଏକ ଜାତୀୟ ଗଣମାଧ୍ୟମରେ ଅନେକ କଥା ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସେ ପେଶାଓ୍ଵରରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି। ମୁଁ ଏଠାକୁ ବୁଲିବାକୁ ଆସିଛି। ମୁଁ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରିଛି। ସବୁ କିଛି ଯୋଜନା ଏବଂ ପ୍ରସ୍ତୁତି ସହ ଆସିଛି। ଏଠାରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା ଏବଂ ଯୋଗ ଦେବାକୁ ଆସିଛି। ମୁଁ ଓ୍ଵାଘା ବର୍ଡର ଦେଇ ପାକିସ୍ତାନ ପହଞ୍ଚିଛି। ସର୍ବପ୍ରଥମେ ମୁଁ ଭିଓ୍ଵାଡ଼ିରୁ ଦିଲ୍ଲୀ ଆସିଲି। ଦିଲ୍ଲୀରୁ ଅମୃତସର ପହଞ୍ଚିବା ପରେ ଓ୍ଵାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଲି।

ସେ କହିଛନ୍ତି ମୋତେ ନେଇ ଅନେକ ପ୍ରକାରର ଚର୍ଚ୍ଚା ଚାଲିଛି ଯେ, କୁଆଡେ ମୁଁ ନସରୁଲ୍ଲାଙ୍କୁ ବିବାହ କରିବାକୁ ଆସିଛି। ଲୋକେ ଏହାକୁ ସୀମା ହାଇଦର ମାମଲା ସହ ଯୋଡ଼ିକି ଦେଖୁଛନ୍ତି। ମୁଁ ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୋ ମାମଲା ସୀମା ହାଇଦର ପରି ନୁହେଁ। ମୁଁ ୨ରୁ ୪ ଦିନ ଭିତରେ ଭାରତ ଫେରିଯିବି। ନସରୁଲ୍ଲାଙ୍କ ସହ ଫେସବୁକ ଜରିଆରେ ୨୦୨୦ରେ ମୋର ଯୋଗାଯୋଗ ଆରମ୍ଭ ହୋଇଥିଲା। ମାତ୍ର ଲୋକେ ଅଯଥାରେ ମୋ ନାମକୁ ତାଙ୍କ ସହ ଯୋଡ଼ୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ଵାମୀ ଅରବିନ୍ଦଙ୍କ ସହ ତାଙ୍କର ସଂପର୍କ ଭଲ ନାହିଁ। କେବଳ ପିଲାଙ୍କ ମୁହଁକୁ ଚାହିଁ ସେ ଅରବିନ୍ଦଙ୍କ ସହ ରହୁଥିଲେ। ମୁଁ ଭାରତ ଆସି ସ୍ଵାମୀଙ୍କଠୁ ଅଲଗା ହୋଇ ପିଲାଙ୍କ ସହ ରହିବାକୁ ଚାହୁଁଛି ବୋଲି ଅଞ୍ଜୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ