କଳାହାଣ୍ଡି,୨୪/୦୭-କଳାହାଣ୍ଡି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇ ପୁଣି ୬୬ କିମି ନୂତନ ରାସ୍ତା ନିର୍ମାଣ ପାଇଁ ୯୬.୪୯କୋଟି ଟଙ୍କା ମଞ୍ଜୁର କରିଛନ୍ତି ! କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଜିଲ୍ଲାର ଛତିକୁଡ଼ା-ମ. ରାମପୁରକୁ ସଂଯୋଗ କରୁଥିବା ୬(କ) ରାଜ୍ୟ ରାଜପଥ ଜାମପଦର ଉତେଇ ନଦୀ ପୋଲ ପାଖରୁ ଜାମପଦର- ଭୁର୍ଟିଗଡ଼-କଦମ୍ବଗୁଡ଼ା ଛକ-ଲାଞ୍ଜିଗଡ଼ରୋଡ଼ ଦେଇ ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କରାଯିବ ! ରାଜ୍ୟ ଯୋଜନାରେ ନିର୍ମାଣ ଓ ଏଥିପାଇଁ ବ୍ୟୟ ଅଟକଳ ୪୯.୬୪ କୋଟି ରଖାଯାଇଛି ! ଏଇ ରାସ୍ତା ଉନ୍ନୟନ ଓ ପ୍ରଶସ୍ତିକରଣ କରାଗଲେ ଜିଲ୍ଲାର ସୀମାନ୍ତ, ଆଭ୍ୟନ୍ତରୀଣ ଅଞ୍ଚଳ ସମେତ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗର ବାଟ ଫିଟିବ ! ସେହିପରି ନର୍ଲାରୁ ରୁପ୍ରାରୋଡ଼ ଓ ରୁପ୍ରାରୁ ପଲମ ପର୍ଯ୍ୟନ୍ତ ୨୧ କିମି ରାସ୍ତାର ଉନ୍ନୟନ ଓ ପ୍ରଶସ୍ତିକରଣ ପାଇଁ ୨୬.୮୨ କୋଟି ମଞ୍ଜୁର ହୋଇଛି ! ସେହିପରି ସଦର ବ୍ଲକ ଦାଦପୁରଠାରୁ ରୁପ୍ରାରୋଡ଼ ପ୍ରାୟ ୧୩ କିମି ରାସ୍ତା ନିର୍ମାଣ ପ୍ରଶସ୍ତିକରଣ ପାଇଁ ୨୦.୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ! ଏପରିକି ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ଜଣାପଡ଼ିଛି !