୧୬ ଦଳ, ୨୧ ସାଂସଦଙ୍କ ପ୍ରତିନିଧ ଦଳ ପହଞ୍ଚିଲା ମଣିପୁର, କ’ଣ ରହିଛି ଏଜେଣ୍ଡା ?

ନୂଆଦିଲ୍ଲୀ: ସଂସଦରେ ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା ମଧ୍ୟରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ ମଣିପୁର ପହଞ୍ଚି ସାରିଛନ୍ତି। ୧୬ ରାଜନୈତିକ ଦଳର ୨୧ ଜଣିଆ ସଦସ୍ୟ ଜୁଲାଇ ୨୯ ଏବଂ ୩୦ ତାରିଖ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ବିରୋଧୀଙ୍କ ଝଟକାରେ ଜାଗି ଉଠିଛି କେନ୍ଦ୍ର ସରକାର। ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀ ଲଗାତାର ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ପ୍ରସଙ୍ଗରେ ବିସ୍ତୃତ ବିବୃତି ଦେବାକୁ ଦାବି କରି ଆସିଛନ୍ତି।
ସାଂସଦ ଦଳ ଦିଲ୍ଲୀରୁ ବିମାନ ଜରିଆରେ ମଣିପୁର ପହଞ୍ଚିଛନ୍ତି। ପ୍ରତିନିଧିମଣ୍ଡଳ ଚୁରାଚାନ୍ଦପୁରରେ ରିଲିଫ କ୍ୟାମ୍ପରେ ରହୁଥିବା କୁକି ସମୁଦାୟର ପୀଡ଼ିତଙ୍କୁ ଭେଟିବେ। ସୁରକ୍ଷା ଦୃଷ୍ଟି କୋଣରୁ ପ୍ରତିନିଧିମଣ୍ଡଳ ଇମ୍ଫାଲରୁ ହେଲିକପ୍ଟର ଜରିଆରେ ଚୁରାଚାନ୍ଦପୁର ଯିବେ। ଏହି ସମୟରେ କେବଳ ଗୋଟିଏ ହେଲିକପ୍ଟର ଥିବାରୁ ପ୍ରତିନିଧିମଣ୍ଡଳକୁ ୨ଟି ଟିମରେ ବିଭକ୍ତ କରାଯିବ ଏବଂ ହେଲିକପ୍ଟର ସେମାନଙ୍କୁ ପହଞ୍ଚାଇବା ପାଇଁ ଦୁଇ ଥର ଯିବା ଆସିବା କରିବ।
ବିରୋଧୀ ଦଳ ରବିବାର ମଣିପୁରର ରାଜ୍ୟପାଳଙ୍କୁ ଭେଟିବେ। ଏହି ସମୟରେ ଦଳ ମଣିପୁରରେ ସର୍ଭେ କରାଇବାକୁ ଦାବି କରି ପାରନ୍ତି। କଂଗ୍ରେସ ସାଂସଦ ଚୌଧୁରୀଙ୍କ କହିବା କଥା ରାଜ୍ୟପାଳଙ୍କ ନିକଟରେ ଆମର ଅନେକ ଦାବି ରହିଛି। ଆମେ ସର୍ଭେ କରାଇବାକୁ ଚାହୁଁଛୁ ଏବଂ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ବୈଠକ କରିବୁ। ପ୍ରତିନିଧିମଣ୍ଡଳର ଦୁଇଟି ଗ୍ରୁପ ଭିନ୍ନ ଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ବିଷୟରେ ପଚାରି ବୁଝିବେ। ଏହା ଉପରେ ରିପୋର୍ଟ ପ୍ରସ୍ତୁତ କରି ସଂସଦରେ ଆଲୋଚନା କରି ଦାବି ଉଠାଇବେ।