କଳାହାଣ୍ଡି ଜିଲ୍ଲାରୁ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେଲେ 4 ପରୀକ୍ଷାର୍ଥୀ : ୩୭୯ ରେଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପାଇଁ ଗୌରବ ଆଣିଲେ ସନାତନ ମାଝୀ


କଳାହାଣ୍ଡି,୩୧/୦୭-ଆଜି ୨୦୨୦-୨୧ ବର୍ଷର ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷାଫଳ ବାହାରିଛି ! ଏଥିରେ ୪୩୨ଜଣ ପରୀକ୍ଷାର୍ଥୀ ଭାବେ ସଫଳତା ହାସଲ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଗୋଶାଳପଡ଼ାର ସୌମ୍ୟ ଶୁଭମ ପାଣି ରାଜ୍ୟସ୍ତରୀୟ ୧୩ ରେଙ୍କ ରଖି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି ! ସେହିପରି ଜିଲ୍ଲାର ଜୟପାଟଣାର ସୁମିତ ଅଗ୍ରୱାଲରେ ୩୩ ରେଙ୍କ ରଖି ସଫଳତା ହାସଲ କରିଛନ୍ତି ! ତେବେ ଜିଲ୍ଲାରୁ ଏଥର ତିନିଜଣ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବାବେଳେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଦୁର୍ଗମ ତେନ୍ତୁଳିପୁଙ୍ଗା ଗାଁର ସନାତନ ମାଝୀ ! ଆଜି ପର୍ଯ୍ୟନ୍ତ ତେନ୍ତୁଳିପୁଙ୍ଗା ଗାଁକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ନଥିବାବେଳେ ଏବେ ବି ଗାଁ ନିକଟସ୍ଥ ନଦୀରେ ଲଗାଣ ବର୍ଷା ଯୋଗୁଁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଁଟା ଯାକର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ! ସେହିପରି ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ଗାଁ ପିଲାର ଏଇ ସଫଳତାର ଖବର ମଧ୍ୟ ପାଞ୍ଚଘଣ୍ଟା ବିଳମ୍ବରେ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି ! ତେନ୍ତୁଳିପୁଙ୍ଗା ଗାଁର ଏକ ଆଦିବାସୀ ପରିବାରରେ ବାପା କୁଜା ମାଝୀ ଓ ମାଆ କମଲୀ ମାଝୀଙ୍କ ଔରସରୁ ଜନ୍ମିତ ସନାତନ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ କିସ୍ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିଲେ ! ପାଠପଢ଼ା ସରିବା ପରେ କିଛିକାଳ ଇନଫୋସିସରେ ସିଷ୍ଟମ ଇଞ୍ଜିନିୟର ଭାବେ ଚାକିରି କରିବା ସହିତ ପରେ ଗୋଲାମୁଣ୍ଡା ବ୍ଲକ ବଡ଼ ଚେରଗାଁରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ ! ଚାକିରିରେ ବ୍ୟସ୍ତତା ଯୋଗୁଁ ସେ ଅଧିକ ସମୟ ପଢ଼ାପଢ଼ି କରିପାରୁନଥିଲେ ହେଁ ରବିବାର ଓ ଅନ୍ୟ ଛୁଟି ଦିନଗୁଡ଼ିକରେ ସେ ପୁରା ଦିନ ପଢ଼ାପଢ଼ିରେ ସମୟ ଦେଉଥିଲେ ବୋଲି ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ! ସେ ନିଜର ଏଇ ସଫଳତା ପାଇଁ ବାପ-ମାଆ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶ୍ରେୟ ଦେବା ସହିତ ଗୁଣାତ୍ମକ ଶିକ୍ଷା ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ! ଓଡ଼ିଶା ଡଟ୍ ନ୍ୟୁଜ ପରିବାର ତରଫରୁ ଜିଲ୍ଲାର ତିନିଜଣ ପ୍ରତିଭାବାନଙ୍କୁ ଶୁଭେଚ୍ଥା ଜ୍ଞାପନ କରାଯାଉଛି !