କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ, ଏବେ ବଞ୍ଚିଛନ୍ତି ମାତ୍ର ଏତିକି

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଶ୍ୟୋପୁର ସ୍ଥିତ କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି। ଏବେ ମାଇ ଚିତା ଧାତ୍ରୀର ଶବ ମିଳିଛି। ଦୁଇ ଦିନ ହେବ ଧାତ୍ରୀର ଗତିବିଧି ବିଷୟରେ ସୂଚନା ମିଳି ପାରୁ ନ ଥିଲା। ଏବେ ତାର ଶବ ଉଦ୍ଧାର ହୋଇଛି। ଏହି ଚିତା ଆଫ୍ରିକାର ନାମିବ୍ୟାରୁ ଅଣା ଯାଇଥିଲା। କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ସଭିଙ୍କୁ ଚକିତ କରିବା ସହ ପାର୍କ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି। ଏ ପର୍ୟ୍ୟନ୍ତ ୬ ଚିତା ଏବଂ ୩ ଶାବକଙ୍କ ମୃତ୍ୟୁ ଘଟି ସାରିଛି।
ମାଇ ଚିତା ଧାତ୍ରୀର ମୃତ୍ୟୁ କେମିତି ଘଟିଛି ତାର କାରଣ ଜଣା ପଡିନାହିଁ। ତାର ଶବ କୁନୋ ପାର୍କର ବାହ୍ୟ ଅଞ୍ଚଳରୁ ମିଳିଛି। ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରାଯାଉଛି, ଯଦ୍ଵାରା ମୃତ୍ୟୁର କାରଣ ଜଣା ପଡ଼ିବ। ଏହା ପୂର୍ବରୁ କୁହାଯାଇଥିଲା ଯେ, ଚିତାର ବେକରେ ଲଗାଯାଇିଥିବା କଲର ରେଡିଓ କାରଣରୁ ସେମାନଙ୍କୁ ସମସ୍ୟା ହେଉଛି। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, କଲର ରେଡିଓ ଦ୍ଵାରା ଚିତା ସଂକ୍ରମଣ ଶିକାର ହେଉଛନ୍ତି।
କୁନୋ ଜାତୀୟ ଉଦ୍ୟାନରେ ୯ ଚିତାଙ୍କ ମୃତ୍ୟୁ ପରେ ଏବେ ମୋଟ୍ ୧୪ ଚିତା ବଞ୍ଚିଛନ୍ତି। ଏଥିରେ ଗୋଟିଏ ଶାବକ ମଧ୍ୟ ସାମିଲ୍ୱ। ଏଥିରୁ ୭ଟି ଅଣ୍ଡିରା ଏବଂ ୬ଟି ମାଈ ଚିତା ରହିଛନ୍ତି। ଏସବୁ ଚିତା ସୁସ୍ଥ ଥିବା କୁନୋ ପାର୍କ କର୍ତ୍ତୃପକ୍ଷ କହିଛନ୍ତି। ଲଗାତାର ଚିତାଙ୍କ ମୃତ୍ୟୁ କାରଣରୁ ଦେଶରେ ଚଲା ଯାଉଥିବା ପ୍ରଜେକ୍ଟ ଚିତାକୁ ବଡ଼ ଝଟକା ଲାଗିଛି।
ସୂଚନାଯୋଗ୍ୟ, ପ୍ରଜେକ୍ଟ ଚିତା ଜରିଆରେ ଦେଶରୁ ବିଲୁପ୍ତ ଚିତାର ସଂଖ୍ୟା ବଢାଇବାକୁ ସରକାର ଯୋଜନା କରିଛନ୍ତି। ଏହି ପ୍ରଜେକ୍ଟ ଆଧାରରେ ଚିତାଗୁଡ଼ିକୁ ନାମିବ୍ୟାରୁ ଭାରତ ଆଣି କୁନୋ ନ୍ୟାସନାଲ ପାର୍କରେ ଛଡ଼ା ଯାଇଛି।