ବିକ୍ରମ ଲ୍ୟାଣ୍ଡରରୁ ବାହାରିଲା ପ୍ରଜ୍ଞା, ଚନ୍ଦ୍ର ପୃଷ୍ଠରେ କରୁଛି ଚଳ ପ୍ରଚଳ, ଦେଖନ୍ତୁ ପ୍ରଥମ ଝଲକ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ସହ ଇସ୍ରୋ ଇତିହାସ ରଚିଛି। ଆଜି ବିକ୍ରମ ଲ୍ୟାଣ୍ଡରରୁ ପ୍ରଜ୍ଞା ରୋଭର ବି ବାହାରି ଆସିଛି। ଗୁରୁବାର ଇସ୍ରୋ ଏହାର ସୂଚନା ଦେଇଛି। ଇସ୍ରୋ ଟୁଇଟ୍ କରିଛି ଯେ, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରି ତଳକୁ ଓହ୍ଲାଇ ସାରିଛି। ଏହା ଏବେ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞା ସଫଳତାପୂର୍ବକ ବାହାରିବା ନେଇ ଇସ୍ରୋର ବୈଜ୍ଞାନିକ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ ଅପେକ୍ଷାକୃତ ଏକ ସମତଳ ଜାଗା ଚୟନ କରିଥିବା ସେଥିରେ ଲାଗିଥିବା କ୍ୟାମେରାରୁ ନିଆଯାଇଥିବା ଫଟୋରୁ ଜଣା ପଡ଼ିଛି। ଭାରତୀୟ ମହାକାଶ ଗବେଷଣକାରୀ ସଂଗଠନ(ଇସ୍ରୋ) ମଧ୍ୟ ଏହାର ସୂଚନା ଦେଇଛି। ଇସ୍ରୋ କହିଛି, ବିକ୍ରମ ସଫଳତାପୂର୍ବକ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡିଂ ଇମେଜ କ୍ୟାମେରା ଏହି ଫଟୋ ଉତ୍ତୋଳନ କରିଛି। ଫଟୋରେ ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳର ଏକ ଅଂଶ ଦେଖାଯାଉଛି। ଲ୍ୟାଣ୍ଡରର ଗୋଟିଏ ଚକ ଏବଂ ଏହାର ଛାଇ ମଧ୍ୟ ଦେଖିବାକୁ ମିଳୁଥିବା ଇସ୍ରୋ କହିଛି।
୧୪ ଦିନ ରହିବ ରୋଭର
ଚନ୍ଦ୍ରଯାନ-୩ର ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପରେ ଏବେ ରୋଭର ପ୍ରଜ୍ଞା ଇସ୍ରୋ ବୈଜ୍ଞାନିକଙ୍କ ଦ୍ଵାରା ଧାର୍ୟ୍ୟ ୧୪ ଦିନିକିଆ କାମ ଆରମ୍ଭ କରିବ। ଏହା ଚନ୍ଦ୍ର ପୃଷ୍ଠର ରସାୟନିକ ଗୁଣ ବିଷୟରେ ତଥ୍ୟ ପ୍ରଦାନ କରିବ। ଏଥିସହ ସହ ପ୍ରଜ୍ଞା ଚନ୍ଦ୍ରର ଅନେକ ଭୌତିକ ଗୁଣର ତଥ୍ୟ ସଂଗ୍ରହ କରିବ। ପୃଥିବୀର ୧୪ ଦିନ ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ ରୋଭର ଚନ୍ଦ୍ରରେ ଗୋଟିଏ ଦିନ ରହିବ। ବିକ୍ରମ ଲ୍ୟାଣ୍ଡରର କାମ ସରିବା ପରେ ଏବେ ସଭିଙ୍କ ନଜର ପ୍ରଜ୍ଞା ଉପରେ ରହିବ।