Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରଯାନ-୩ରୁ ମିଳିଲା ବଡ଼ ସୂଚନା, ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା କେତେ, ଜଣାଇଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡରର ସଫଳ ଅବତରଣ ପରେ ରୋଭର ପ୍ରଜ୍ଞା ନିଜ କାମରେ ଲାଗି ପଡ଼ିଛି। ଏହାକୁ ନେଇ ଇସ୍ରୋ ସଦ୍ୟତମ ତଥ୍ୟ ଜାରି କରିଛି। ଏଥିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ବିଷୟରେ ସୂଚନା ଦିଆଯାଇଛି। ଏକ ଗ୍ରାଫ ଜରିଆରେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ବିଷୟରେ ଦର୍ଶାଯାଇଛି। ଏହି ତାପମାତ୍ରା ଭିନ୍ନ ଭିନ୍ନ ଅବସ୍ଥାରେ ରେକର୍ଡ କରାଯାଇଛି। ଇସ୍ରୋ ଅନୁଯାୟୀ, ଚନ୍ଦ୍ରରେ ପ୍ରବେଶ ମାତ୍ରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ଏହାକୁ ବିସ୍ତୃତ ସହ ଏବେ ଅଧ୍ୟୟନ କରାଯାଉଛି।

୧୦ ସେମି ଗଭୀରତା ଯାଏ ତାପମାନ
ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ChaSTE ଦକ୍ଷିଣ ମେରୁର ଆଖପାଖରେ ଚନ୍ଦ୍ରର ଉପର ମାଟିର ତାପମାତ୍ରା ମାପିଥାଏ। ଏହା ଜରିଆରେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ବିଷୟରେ ସୂଚନା ମିଳିଥାଏ। ChaSTE ୧୦ ସେମି ଗଭୀରତା ଯାଏ ପହଞ୍ଚି ତାପମାତ୍ରା ଯାଞ୍ଚ କରିପାରେ। ପେଲୋଡରେ ୧୦ ଅଲଗା ଅଲଗା ସେନସର ଲାଗିଛି। ଇସ୍ରୋ ଏକ ଗ୍ରାଫ ସେୟାର କରିଛି, ସେଥିରେ ଅଲଗା ଅଲଗା ଗଭୀରତାରେ କେତେ ତାପମାତ୍ରା ଅଛି ତାହା ରେକର୍ଡ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ପ୍ରଥମ ଯାଞ୍ଚ କରିବାରେ ଭାରତ ପ୍ରଥମ ଦେଶ।

ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ChaSTE ପେଲୋଡରୁ ମିଳିଥିବା ଗ୍ରାଫ ଅନୁଯାୟୀ, ଚନ୍ଦ୍ର ପୃଷ୍ଠର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ରହିଛି। ଗଭୀରକୁ ଗଲେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଉଛି। ତଥ୍ୟ ଅନୁଯାୟୀ, ୮୦ ମିଲିମିଟର ଭିତରକୁ ଗଲେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସୁଛି। ଏଥିରୁ ଜଣା ପଡୁଛି ଚନ୍ଦ୍ର ପୃଷ୍ଠ ତାପମାତ୍ରାରେ ବ୍ୟତିକ୍ରମ ରହୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ