କାନାଡ଼ା ଅଭିଯୋଗକୁ ନେଇ ଗମ୍ଭୀର ଆମେରିକା, ଏନଏସଏ କହିଲେ- ମାମଲାରେ ଭାରତକୁ କୌଣସି ସ୍ଵତନ୍ତ୍ର ରିହାତି ଦେବୁ ନାହିଁ

ନୂଆଦିଲ୍ଲୀ: କାନାଡାରେ ଖାଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜରର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ହରଦୀପଙ୍କ ହତ୍ୟା ପଛରେ ଭାରତୀୟ ପ୍ରତିନିଧିଙ୍କ ହାତ ଥିବା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଟିପ୍ପଣୀ ଦେବା ପରେ ଏହି ବିବାଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ କାନାଡ଼ାର ଅଭିଯୋଗକୁ ନେଇ ଚିନ୍ତିତ ଥିବା କହିଛନ୍ତି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଓ୍ଵନ। ସେ କହିଛନ୍ତି, ତଦନ୍ତକୁ ସେ ପୂରା ସମର୍ଥନ କରିବେ ଓ ଦୋଷୀଙ୍କୁ କାଠଗଡ଼ାକୁ ଅଣାଯିବା ଉଚିତ୍।
ଜେକ୍ ସୁଲିଓ୍ଵନ କହିଛନ୍ତି, ଆମେରିକା ସହିତ କାନାଡା ଓ ଭାରତର ଉତ୍ତମ ସଂପର୍କ ରହିଛି। ତେବେ କାନାଡାର ଅଭିଯୋଗ ବିଚଳିତ କରିଦେବା ପରି ରହିଛି। ଆମେ ଚାହୁଁଛୁ ଭାରତ ମଧ୍ୟ ତଦନ୍ତରେ ସହଯୋଗ କରୁ। ଏଥିପାଇଁ ଆମେରିକା ଭାରତର ସହଯୋଗ ଲୋଡ଼ୁଛି। ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, କାନାଡ଼ାରେ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ବିଷୟରେ କାନାଡ଼ାର ଅଭିଯୋଗ ପରେ ଆମେରିକା ଉଚ୍ଚସ୍ତରରେ ଭାରତୀୟଙ୍କ ଯୋଗାଯୋଗରେ ଅଛନ୍ତି। ସରକାର ଏହି ମାମଲାରେ ଭାରତକୁ କୌଣସି ସ୍ଵତନ୍ତ୍ର ରିହାତି ଦେଉ ନାହାନ୍ତି।
ଅନ୍ୟପଟେ ଭାରତ କାନାଡାର ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଭାରତ କାନାଡାର ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଭାରତ ଅଭିଯୋଗ କରିଛି, କାନାଡା ଖାଲିସ୍ତାନୀଙ୍କୁ ନିଜ ଦେଶରେ ଖାଦ୍ୟ ପାଣି ଦେଇ ରଖିଛି ଏବଂ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଭାରତ ଉପରେ ମନଗଢା ଅଭିଯୋଗ ଲଗାଉଛି।