Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ଵାମୀନାଥନଙ୍କ ପରଲୋକ, ଦେଶରେ ଆଣିଥିଲେ ସବୁଜ ବିପ୍ଳବ

ନୂଆଦିଲ୍ଲୀ: ଆଉ ଦୁନିଆରେ ନାହାନ୍ତି ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ଵାମୀନାଥନ। ୯୮ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଗୁରୁବାର ଚେନ୍ନାଇରେ ପୂର୍ବାହ୍ଣ ୧୧ଟା ୨୦ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ସ୍ଵାମୀନାଥନ। ବୟସାଧିକ ଏବଂ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କର ଦେହାନ୍ତ ଘଟିଥିବା କୁହାଯାଇଛି। ତାଙ୍କୁ ଭାରତୀୟ ସବୁଜ ବିପ୍ଳବର ଜନକ କୁହାଯାଏ।

ସ୍ଵାମୀନାଥନ କୃଷି ବିଭାଗର ବୈଜ୍ଞାନିକ ଥିଲେ। ସେ ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ଭାରତୀୟ କୃଷି ଗବେଷଣା ପରିଷଦର ଅଧ୍ୟକ୍ଷ ଭାବେ କାମ କରିଛନ୍ତି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସ୍ଵାମୀନାଥନ ଧାନର ବିଭିନ୍ନ କିସମ ପ୍ରସ୍ତୁତ କରିଥିଲେ, ଯାହା ଦେଶର ଗରିବ କୃଷକଙ୍କୁ ଅଧିକ ଧାନ ଉତ୍ପାଦନ କରିବା ପାଇଁ ସାମର୍ଥ୍ୟ ପ୍ରଦାନ କରିଥିଲା। ସେ ଏମିତି ଧାନ ପ୍ରସ୍ତୁତ କରିଥିଲେ, ଯାହା କୃଷିକୁ ଅଧିକ ଉତ୍ପାଦନରେ ବେଶ ସହାୟକ ହୋଇଥିଲା। ଯାହା ସଂପ୍ରତି ଦେଶରେ ବହୁଳ ଭାବେ ଉପଯୋଗ କରାଯାଉଛି।

ସ୍ଵାମୀନାଥନଙ୍କ ଜନ୍ମ ତାମିଲନାଡ଼ୁର କୁମ୍ଭକୋଣମରେ ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ହୋଇଥିଲା। ବାପା ଏମ କେ ସମ୍ବାସିବମ ଜଣେ ସର୍ଜନ ଥିଲେ। ସ୍ଵାମୀନାଥନ ନିଜର ପ୍ରାରମ୍ଭିକ ଶିକ୍ଷା କୁମ୍ଭକୋଣମରେ ପୂରା କରିଥିଲେ। ତାଙ୍କ ପିତା ସ୍ଵାଧୀନତା ଲଢେଇରେ ଯୋଗ ଦେବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରଭାବିତ ହୋଇଥିଲେ। ଏହି ଦୁଇ ଜଣଙ୍କ ପ୍ରତି ପ୍ରଭାବିତ ହୋଇ ସ୍ଵାମୀନାଥନ କୃଷିରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ। ଏମିତି ହୋଇ ନ ଥିଲେ ସେ ଜଣେ ପୋଲିସ ଅଫିସର ହୋଇଥାନ୍ତେ। ୧୯୪୦ରେ ସେ ପୋଲିସ ଅଫିସର ହେବା ପାଇଁ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ସେ କୃଷି କ୍ଷେତ୍ରରେ ପାଠପଢା ଜାରି ରଖି ଦୁଇଟି ଡିଗ୍ରୀ ହାସଲ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ