ଚନ୍ଦ୍ରଯାନ-୩ରେ ଇସ୍ରୋ ଦେଲା ବଡ଼ ଖବର, ଏବେ ମଧ୍ୟ କାମ କରୁଛି ପଠାଯାଇଥିବା ପେଲୋଡ୍

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସକ୍ରିୟ ହେବାର ଆଶା ଛାଡ଼ି ନାହିଁ ଇସ୍ରୋ। ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଦିନ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଇସ୍ରୋ ସିଗ୍ନାଲର ଅପେକ୍ଷା କରିଛି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଶା ଜାରି ରହିବ ବୋଲି ଇସ୍ରୋ କହିଛି। ଏବେ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହେବାକୁ ଆହୁରି ଗୋଟିଏ ସପ୍ତାହର ସମୟ ରହିଛି। ଏହା ମଧ୍ୟରେ ଇସ୍ରୋ ଦେଇଛି ଖୁସି ଖର। ଚନ୍ଦ୍ରକୁ ପଠାଯାଇଥିବା ରୋଭର ଓ ଲ୍ୟାଣ୍ଡର ବର୍ତ୍ତମାନ ନିଷ୍କ୍ରିୟ ଥିଲେ ହେଁ ଉଭୟଙ୍କୁ ନେଇକି ଯାଇଥିବା ଅର୍ବିଟର ଚନ୍ଦ୍ର ଚତୁଃପାର୍ଶ୍ଵରେ ଘୁରି ବୁଲୁଛି। ଇସ୍ରୋର କହିବା କଥା ଏହି ଅର୍ବିଟର ଦୀର୍ଘ ସମୟ ଯାଏ ଚନ୍ଦ୍ର ଓ ପୃଥିବୀର ଅତିରିକ୍ତ ସୂଚନା ଦେଇ ଚାଲିବ।
ଚନ୍ଦ୍ରଯାନର ଅର୍ବିଟରରେ ଲାଗିଥିବା ପେଲୋଡ୍ ବହୁତ ତଥ୍ୟ ଇସ୍ରୋକୁ ପଠାଇ ସାରିଛି। ଏହା ଦୀର୍ଘ ସମୟ ଧରି ସକ୍ରିୟ ରହି ପାରିବ। ଏହା ଦ୍ଵାରା ପଠା ଯାଇଥିବା ସୂଚନା ଏଗଜୋପ୍ଲେନେଟସ୍ ବିଷୟରେ ଅଧ୍ୟୟନ କରିବାରେ ଏହା ବେଶ ସହାୟକ ହେବ। ଏଗଜୋପ୍ଲେନେଟ୍ ଏମିତି ଏକ ଗ୍ରହ ଯାହା ଆମ ସୌରମଣ୍ଡଳର ଅଂଶ ନୁହେଁ କିନ୍ତୁ ଅନ୍ୟ କୌଣସି ତାରା ଚାରିପଟେ ଘୁରି ବୁଲୁଥାଏ। ଏହା ଅନ୍ୟ କୌଣସି ନକ୍ଷତ୍ରପୁଞ୍ଜର ହୋଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ପେଲୋଡ୍ ଯାହା ସବୁ ତଥ୍ୟ ପ୍ରେରଣ କରିଛି ତାହା ଅଧ୍ୟୟନ ପାଇଁ ବେଶ ଗୁରୁତ୍ଵ ବହନ କରୁଛି। ସବୁଠୁ ବଡ଼ କଥା ଆସିଥିବା ତଥ୍ୟରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି। ଏହି ପେଲୋଡ ଦୀର୍ଘ ସମୟ ଧରି ଚନ୍ଦ୍ର ଚତୁଃପାର୍ଶ୍ଵରେ ଘୂରି ବୁଲି କାମ କରିବ। ମିଳିଥିବା ତଥ୍ୟ ବିଶ୍ଳେଷଣ କରିବା ଏବଂ କିଛି ନୂତନ ସନ୍ଧାନ ପାଇଁ ସମୟ ଲାଗିବ ବୋଲି ସୋମନାଥ କହିଛନ୍ତି।