ସପ୍ତାହକ ମଧ୍ୟରେ ଗୁଣିଗାରେଡି଼ ସନ୍ଦେହ ନେଲାଣି ୪ ଜୀବନ


କଳାହାଣ୍ଡି,୦୫/୧୦-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ | ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ମହେନ୍ଦ୍ର ମାଝୀଙ୍କୁ ଗିରଫ କରିବା ସହିତ ଆଜି କୋର୍ଟଚାଲାଣ କରିଛି | ହତ୍ୟାକାଣ୍ଡର କାରଣ ଗୁଣିଗାରେଡ଼ି ସନ୍ଦେହ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି | ଶଙ୍କରପଲା ଗାଁର ରାଏମତୀ ମାଝୀ, ତାଙ୍କର ଦୁଇବର୍ଷର ନିଷ୍ପାପ ଶିଶୁ ଶିବଶକ୍ତି ମାଝୀଙ୍କ ସହିତ ଗାଁର ମହେନ୍ଦ୍ର କୁମାର ନାମକ ଜଣେ ବୃଦ୍ଧଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ମହେନ୍ଦ୍ର ଫେରାର ହୋଇଯାଇଥିଲା | ଅଭିଯୁକ୍ତ ମହେନ୍ଦ୍ର ମୃତ ରାଏମତୀର ପୁତୁରା ଓ ଗୁଣିଗାରେଡି ସନ୍ଦେହରେ ସେ ନିଜ ଖୁଡ଼ୀ ଓ ତାଙ୍କ ପୁଅକୁ ହତ୍ୟା କରୁଥିବାବେଳେ ବୃଦ୍ଧ ମହେନ୍ଦ୍ର କୁମାର ଏହା ଦେଖିଦେବାରୁ ତାଙ୍କୁ ମଧ୍ୟ ରାସ୍ତାରୁ ହଟାଇବାକୁ ଯାଇ ତିନୋଟି ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି | ହତ୍ୟାକାଣ୍ଡ ଘଟାଇ ସେ ଫେରାର ହୋଇଯାଇଥିବାବେଳେ ତାର ଶ୍ବଶୁର ଘରୁ ତାକୁ ଗିରଫ କରିଥିଲା ପୁଲିସ | କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଏସଡିପିଓ ଧୀରଜ ଚୋପଦାରଙ୍କ ତତ୍ତ୍ବାବଧାନରେ ଜୁନାଗଡ଼ ଥାନାଧିକାରୀ ଶେଷଦେବ ବେହେରାଙ୍କ ନେତୃତ୍ବରେ ଜୁନାଗଡ଼ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗସ୍କ୍ବାର୍ଡ ଏଇ ତଦନ୍ତରେ ସାମିଲ ହୋଇଥିଲେ | ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ଜିଲ୍ଲାରେ ଚାରୋଟି ହତ୍ୟାକାଣ୍ଡ ଘଟିସାରିଛି | ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡ଼ା ଗାଁରେ ଗୁଣିଗାରେଡି ସନ୍ଦେହରେ ବଡ଼ବାପାକୁ ପୁତୁରା ହତ୍ୟା କରିଥିବାବେଳେ ଶଙ୍କରପଲାରେ ମଧ୍ୟ ସେଇ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି | ତେବେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେବା ଓ ଗୁଣୀ ଗାରେଡି ସନ୍ଦେହରେ ହତ୍ୟା ଭଳି ଗୁରୁତର ଅପରାଧ ଘଟାଇବା ପଛରେ ଶିକ୍ଷା ଏବଂ ସଚେତନତାର ଅଭାବ ରହିଛି ବୋଲି କୁହାଯାଉଛି | ଏଣୁ ଜିଲ୍ଲାରେ ଗୁଣିଗାରେଡି ସନ୍ଦେହଜନିତ ହତ୍ୟାକାଣ୍ଡ ରୋକିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହେଉଛି |