ମନ୍ଦିର ଅଭିମୁଖେ ବାହାରିଲା ମାଣିକେଶ୍ବରୀଙ୍କ ଛତରଯାତ୍ରା •ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ


କଳାହାଣ୍ଡି,୨୨/୧୦-କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ବରୀ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ମହାସମାରୋହରେ ଆୟୋଜିତ ହୋଇଛି ! ବିଶ୍ବର ସର୍ବବୃହତ ଖୋଲାମଞ୍ଚରେ ହଜାରହଜାର ସୌଖୀନ ଓ ଚିତ୍ରବିଚିତ୍ର କଳାକାରଙ୍କ ସହିତ ହଜାରେରୁ ଉର୍ଦ୍ଧ୍ବ ବାଦ୍ୟକାର ଓ ଘଣ୍ଟୁଆଙ୍କୁ ନେଇ ୨୨ଟି ସାଂସ୍କୃତିକ ଦଳ ଏବଂ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଜେନାଖାଲଠାରୁ ପୂଜାର୍ଚ୍ଚନା ପରେ ମାଣିକେଶ୍ବରୀଙ୍କ ଛତରଯାତ୍ରା ମନ୍ଦିର ଅଭିମୁଖେ ବାହାରିଥିଲା ! ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାମିଳନର ଏଇ ବିଶାଳ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକେ ସାମିଲ ହୋଇଥିଲେ ! ସେହିପରି ଛତରଯାତ୍ରା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ହଜାରହଜାର ସଂଖ୍ୟାରେ ବୋଦା, ଗଡ୍ଡରା ଓ କୁକୁଡ଼ା ବଳି ଦିଆଯାଉଥିବା ଦେଖିବାକୁ ମିଳିଥିଲା ! ସେହିପରି ଛତରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ, ଭବାନୀପାଟଣା ପୌରପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ! ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଳାହାଣ୍ଡି ଏସ୍ ପି ଅଭିଳାଷ ଜୀଙ୍କ ନେତୃତ୍ବରେ ୨ ଜଣ ଏଡିସନାଲ୍ ଏସପି, ୯ ଜଣ ଡିଏସପି, ୧୯ଜଣ ଇନ୍ସପେକ୍ଟର, ୩୧ଜଣ ସବଇନ୍ସପେକ୍ଟର, ୫୪ ଜଣ ଏଏସ୍ଆଇଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ !