ନଭେମ୍ବର ୨୧ରେ ଚନ୍ଦ୍ରମଣି ନାଟ୍ୟସଂଘର ଶତବାର୍ଷିକୀ ମହୋତ୍ସବ : ବିଜୟ ଶତପଥୀ ଓ ନାରାୟଣ ସାହୁଙ୍କୁ ନାଟ୍ୟକାର ଦୁର୍ଗାମାଧବ ସିଂହଦେଓ ସ୍ମୃତି ସମ୍ମାନ


କଳାହାଣ୍ଡି,୩୧/୧୦-ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କଳାହାଣ୍ଡି ଜିଲ୍ଲା ମ. ରାମପୁରର ଚନ୍ଦ୍ରମଣି ନାଟ୍ୟସଂଘ ପାଳନ କରିବ ତାର ଶତବାର୍ଷିକୀ ମହୋତ୍ସବ ! ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜିଲ୍ଲାର ସର୍ବ ପୁରାତନ ଚନ୍ଦ୍ରମଣି ନାଟ୍ୟ ସଂଘର ପ୍ରାଣ ପ୍ରତିଷ୍ଠାତା ମହାରାଜା ନାଟ୍ୟକାର ଦୁର୍ଗାମାଧବ ସିଂହଦେଓଙ୍କ ସ୍ମୃତିରେ ରାଜ୍ୟର ଦୁଇଜଣ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁଙ୍କୁ ପ୍ରଦାନ ନାଟ୍ୟକାର ଦୁର୍ଗାମାଧବ ସିଂହଦେଓ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହାସହିତ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗୀରର ଜଗଦାନନ୍ଦ ଛୁରିଆ, ବରଗଡ଼ ପଦ୍ମପୁରର କେଶରଞ୍ଜନ ପ୍ରଧାନ, କଳାହାଣ୍ଡିର ଅବଦୁଲ କାଦିର ଓ ପ୍ରଦୀପ ଡି. ମାଝୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ଶତବାର୍ଷିକୀ ମହୋତ୍ସବ ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ରଜନୀକାନ୍ତ ବଗର୍ତ୍ତି, ବିଶ୍ବମ୍ବର ମହାନ୍ତିଙ୍କୁ ନେଇ ଗଠିତ ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ବୈଠକରେ ସଭାପତି ପଦ୍ମଲୋଚନ ମିଶ୍ର, ସଂପାଦକ ହେମନ୍ତ ସାହୁଙ୍କ ସମେତ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରମାକାନ୍ତ ପ୍ରହରାଜ, ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ ।