ବିଶ୍ବନାଥପୁରଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କର୍ମଶାଳା


ଲାଞ୍ଜିଗଡ଼,୦୧/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା କରି ସାକ୍ଷରତା କିଟ ର ବ୍ୟବହାର ଓ ସିଆରଏ ପଦ୍ଧତି ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ।ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଯୋଜନାକୁ ସଫଳ କରିବା ପାଇଁ ପର୍ଯ୍ୟାୟକ୍ରମେ ବ୍ଲକର ପାଞ୍ଚ ଗୋଟି ସ୍ଥାନରେ ପ୍ରଧାନ ଶିକ୍ଷକ ଓ ଏଫ୍ଏଲ୍ଏନ୍ ଶିକ୍ଷକମାନଙ୍କ କର୍ମଶାଳା ଆୟୋଜନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଜନା କରାଯାଇଛି। ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ମିଳିତ ଉଦ୍ୟମକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି।ଆଜିର ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣା, ସୁଢ଼ଳଦେବ ମୁଣ୍ଡ ଓ ଭାରତଭୂଷଣ ସାହୁ ଯୋଗଦାନ କରି ମାର୍ଗଦର୍ଶନ କରିଥିଲେ। ବ୍ଲକର ମନୋନୀତ ସମସ୍ତ ସାଧନକର୍ମୀ ଓ ସମସ୍ତ ସିଆରସିସି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ। ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।