କଳାହାଣ୍ଡି,୦୬/୧୧-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ମୁଷାନାଳଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାଚୁଲ ଜଙ୍ଗଲ ଗଦଗଦା ଜଳପ୍ରପାତ ନିକଟରେ ଏକ ଚିତାବାଘ ବୁଲୁଥିବା ଦେଖିବାକୁ ମିଳିଛି ! ମୁଷାନାଳ ଦେଇ ଭବାନୀପାଟଣା ଯାଉଥିବା ଲୋକେ ବାଘକୁ ଦେଖି ଭୟଭୀତ ହେଉଥିବା ଦେଖିବାକୁ ମିଳିଛି ! ଏପରିକି ମାଚୁଲ ଜଙ୍ଗଲକୁ ଲାଗି ରହିଥିବା ଜାମଛୁଆ, ଯୁବାଗାଁ, ମାଚୁଲ, ଡାହାଣୀପଦର, କଣ୍ଡାମା, ମୁଷାନାଳ ଆଦି ଅଞ୍ଚଳରେ ବାଘ ଡରରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି ! ଅଞ୍ଚଳର ପାଞ୍ଚଟି ଗାଁର ଲୋକେ ପ୍ରତିଦିନ ବ୍ୟାଙ୍କ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ମାଚୁଲ ଜଙ୍ଗଲ ଦେଇ ମୂଷାନାଳକୁ ଯିବା ସହିତ ସନ୍ଧ୍ୟାରେ ଫେରନ୍ତି ! କିନ୍ତୁ ସନ୍ଧ୍ୟା ସମୟରେ ଜଙ୍ଗଲ ରାସ୍ତା ଦେଇ ବାଘ ଡରରେ ନିଜ ଘରକୁ ଯିବାପାଇଁ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି ! ଗତ ୨୮ ତାରିଖରେ ମୁଷାନାଳ ନିକଟସ୍ଥ ତୁର୍କl ଗାଁର ପାଞ୍ଚଟି ଛେଳିକୁ ବାଘ ଖାଇଦେଇଥିବାବେଳେ କାଣ୍ଡାମାର ଗୋଟିଏ ଛେଳିକୁ ମାରି ଖାଇଥିବା ଅଭିଯୋଗ ହୋଇଛି ! ଅଞ୍ଚଳରେ ବାଘ ଚଳପ୍ରଚଳ ହେଉଥିବା ସଂପର୍କରେ ଖବର ପାଇଁ ଆଜି ବନବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି !