କଳାହାଣ୍ଡି,୦୮/୧୨-ବଲାଙ୍ଗୀର ସହରର ସୁଦପଡ଼ା ଦେଶୀ ମଦଭାଟିରେ ଶହଶହ କୋଟି ଟଙ୍କା ଉଦ୍ଧାର ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ! ଏପରିକି ରାଜ୍ୟର ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ବଉଦ ଆଦି ସ୍ଥାନରେ ଥିବା ଦେଶୀ ମଦଭାଟି ଗୁଡ଼ିକରେ ଆୟକର ବିଭାଗର ମାରାଥନ ଚଢ଼ଉ ଜାରି ରହିଥିବାବେଳେ ୩ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବାରେ ଲାଗିଛି ! ତେବେ ଉପରୋକ୍ତ ଚାରୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବାବେଳେ ଉକ୍ତ ସ୍ଥାନଗୁଡ଼ିକ ସହିତ ସିଧାସଳଖ ଲିଙ୍କ ଥିବା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦେଶୀ ମଦଭାଟିଗୁଡ଼ିକରେ ଏବେ ଛନକା ପଶିଛି ! ଜିଲ୍ଲାର ବିଭିନ୍ନ ଦେଶୀ ମଦଭାଟିଗୁଡ଼ିକରେ ଥିବା ବାହାର ରାଜ୍ୟର କର୍ମଚାରୀମାନଙ୍କ ହେପାଜତରେ କୋଟି କୋଟି କଳା ଟଙ୍କା ଥିବା ସନ୍ଦେହ କରାଯାଉଥିବାବେଳେ ଯେ କୌଣସି ମୁହୂର୍ତ୍ତରେ କଳାହାଣ୍ଡିର କିଛି ନିର୍ଦ୍ଦିଷ୍ଟ ଦେଶୀ ମଦଭାଟିରେ ଆୟକର ଚଢ଼ଉ ହୋଇପାରେ ବୋଲି ଆଶଙ୍କା କରାଯାଉଛି ! ଏଇସବୁ ଦେଶୀ ମଦଭାଟିଗୁଡ଼ିକରେ ଆଡ୍ଡା ଜମାଇଥିବା ବାହାର ରାଜ୍ୟର ମ୍ୟାନେଜର, ଗଦିଦାର, ପହିଲମାନ ପଦବୀଧାରୀ ବ୍ୟକ୍ତିବିଶେଷମାନଙ୍କ ଆଖିରୁ ରାତିର ନିଦ ହଜିଯାଇଛି ! ମଦ ବିକ୍ରି, କୋଠୀ ନିଲାମ ସମେତ ଚାନ୍ଦାଭେଦା ଦେଇ ସ୍ଥାନୀୟ ଲୋକଙ୍କୁ କବଜା କରି ରଖିଥିବା ଓ ଧାର୍ଯ୍ୟ ପରିମାଣରୁ ବହୁ ଅଧିକ ପରିମାଣ ମଦ ତିଆରି, ବିକ୍ରି ଓ ନକଲି ମଦ ପ୍ରସ୍ତୁତିରୁ ଶହଶହ କୋଟି କୋଟି ଟଙ୍କାର ମୁନାଫା ହାସଲ କରିଥିବା ନାମୀଦାମୀ ମାଲିକଙ୍କ ଏଇ କର୍ମଚାରୀମାନେ ଏବେ ଆସନ୍ନ ବିପଦ ଆଶଙ୍କା କରି ପିଳେହିପାଣି ହେଲେଣି ! ଏପରିକି ଭବାନୀପାଟଣା ସହରର କେନ୍ଦ୍ରସ୍ଥଳରେ ଥିବା ସେମାନଙ୍କ ମୁଖ୍ୟ ଆଡ୍ଡାରେ ଦିନେ ଯେଉଁଠି ଲୋକଙ୍କ ଭିଡ଼ ହାଉଯାଉ ହେଉଥିଲା ସେଇଠି ଏବେ ଶ୍ମଶାନର ନିରବତା ଛାଇଯାଇଛି ! ସେହିପରି ଆୟକର ଚଢ଼ଉ ଭୟରେ ଏବେ ଜିଲ୍ଲାର ବିଭିନ୍ନ ଦେଶୀ ମଦଭାଟିର କର୍ମଚାରୀମାନେ କାକୁସ୍ଥ ହୋଇ ପଡ଼ିଥିବାବେଳେ ଟିଟିଲାଗଡ଼, ବଲାଙ୍ଗୀର ସମେତ ବିହାର ଓ ଝାଡ଼ଖଣ୍ଡକୁ କୋଟିକୋଟି ଟଙ୍କାର ଦେଣନେଣ ଓ ସିଧାସଳଖ ଲିଙ୍କ ଥିବାରୁ ଆୟକର ଚଢ଼ଉ ଆଶଙ୍କା ଆହୁରି ବଢ଼ିଯାଇଛି ! ଏପରିକି ଯେ କୌଣସି ମୁହୂର୍ତ୍ତରେ ଭବାନୀପାଟଣା, କେସିଙ୍ଗା, ଲାଞ୍ଜିଗଡ଼ରୋଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ଏକ ବଡ଼ ଧରଣର ଚଢ଼ଉ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବାଟଘାଟରେ ଆଲୋଚନା ହେଉଛି ! ଏପରିକି ଜିଲ୍ଲାବ୍ୟାପି ଲୁଟର ଶିକାର ହେଉଥିବା ଗ୍ରାହକ ସମେତ ବୁଦ୍ଧିଜୀବୀ ନାଗରିକଗଣ ଜିଲ୍ଲାର ବିଭିନ୍ନ ଦେଶୀ ମଦଭାଟିରେ ଆୟକର ଚଢ଼ଉ ହେବା ଯୁକ୍ତିଯୁକ୍ତ ପଦକ୍ଷେପ ହେବ ବୋଲି ଦର୍ଶାଇଛନ୍ତି !