କାଉଗୁଡ଼ାରେ ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା


କଳାହାଣ୍ଡି,୧୧/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାରେ ଜଣେ ଏକ୍ସ କ୍ୟାଡ଼ର ଶିକ୍ଷକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ! ସୂଚନାନୁଯାୟୀ, କାଉଗୁଡ଼ା ଗାଁର ହରେକୃଷ୍ଣ ଶବର ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଏକ୍ସ କ୍ୟାଡର ଶିକ୍ଷକ ଭାବେ ଚାକିରି କରୁଥିଲେ ! ତେବେ ରବିବାର ବିଳମ୍ବିତ ରାତିରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି ! ଅଭିଯୋଗ ଅନୁଯାୟୀ, ମୃତ ଶିକ୍ଷକଙ୍କ ପତ୍ନୀ କିଛିଦିନ ତଳେ ନିଖୋଜ ହୋଇଥିବା ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ! ନିଖୋଜ ପତ୍ନୀକୁ ଖୋଜି ଖୋଜି ନିରାଶ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ! ରବିବାର ରାତିରେ ଘରେ ଶୋଇଥିବାବେଳେ ଆଜି ସକାଳୁ ସେ ଶୋଇଥିବା କୋଠରୀକୁ ତାଙ୍କ ମାଆ ଝାଡ଼ୁ କରିବାକୁ ଯିବାବେଳେ ପୁଅର ଝୁଲନ୍ତା ଶବ ଦେଖି କାନ୍ଦବୋବାଳି କରିଥିଲେ ! ତାଙ୍କ ପାଟିଶୁଣି ପାଖପଡ଼ିଶା ଲୋକେ ଜମା ହେବା ସହିତ ସିକେରକୁପା ପୁଲିସକୁ ଖବର ଦିଆଯାଇଥିଲା ! ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ! ଏନେଇ ନର୍ଲା ଥାନାରେ କେସ୍ ନଂ.୧୩/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶ୍ରୀ ଶବର ତଦନ୍ତ କରୁଥିବା ଜଣାପଡ଼ିଛି ! ତଦନ୍ତରେ ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ ସହଯୋଗ କରୁଛନ୍ତି !