ପାଖଉଛି ନିର୍ବାଚନ ବଢୁଛି ଉଷ୍ମତା: ଦେବଗଡ ଆସନରୁ କେଉଁ ଦଳରେ କାହାକୁ ମିଳିବ ଟିକେଟ୍ ? ଦୌଡରେ ଅନେକ ଆଶାୟୀ
 
        ଦେବଗଡ: ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ସମୟ ବାକି ରହିଛି। ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି। ସାଧାରଣତଃ ଲୋକସଭା ନିର୍ବାଚନ ସହ ଓଡିଶା ବିଧାସନଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ନିର୍ବାଚନରେ ଏହାର ବ୍ୟତିକ୍ରମ ଘଟିବ କି ? କଣ ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ? ପୁରୀରେ ଇଭିଏମ ଆଗୁଆ ପହଞ୍ଚିବା ପରେ ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି। ରାଜଧାନୀଠୁ ନେଇ ପ୍ରତି ନିର୍ବାଚନୀ ମଣ୍ଡଳୀରେ ରାଜନୀତି ସରଗରମ ହୋଇ ଉଠିଲାଣି। ଟିକେଟ୍ ଖଣ୍ଡିଏ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଉ ଏଥିରୁ ବା କେମିତି ବାଦ୍ ପଡିବ ଦେବଗଡ ନିର୍ବାଚନ ମଣ୍ଡଳୀ। ଦେବଗଡ ଜିଲ୍ଲାରେ ବି ବିଭିନ୍ନ ଦଳରେ ଟିକେଟ୍ ଆଶାୟୀ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।
ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର କ୍ଷୁଦ୍ର ଜିଲ୍ଲା ହେଉଛି ଦେବଗଡ। ବିଗତ ବର୍ଷରେ ରାଜ୍ୟବାସୀଙ୍କ ଲୋକଲୋଚନକୁ ସେତେଟା ଆସୁନଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ଦେବଗଡ ଜିଲ୍ଲା ସଂପ୍ରତି ଅନେକ ଘଟଣାକୁ ନେଇ ଖବରର ଶିରୋନାମା ପାଲଟିଛି। ବିଶେଷ କରି ଜିଲ୍ଲାର ରାଜନୈତିକ ପାଣିପାଗ ଏବଂ ଏହାର ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଦେବଗଡର ସମସ୍ୟା ସହିତ ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବିବୃତି ରଖି ରାଜ୍ୟବାସୀଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ତେବେ ବିଧାୟକ ଏବଂ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ମଧ୍ୟରେ ବିବାଦ ସାରା ରାଜ୍ୟରେ ଦେବଗଡକୁ ଅଧିକ ଚର୍ଚ୍ଚିତ କରିଛି। ବିଧାୟକଙ୍କ ଗିରଫଦାରୀ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା।
ପୁଣି ବିଧାୟକ ସୁବାସ ପାଣିଗ୍ରାହୀ ଓ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ମଧ୍ୟରେ ବିବାଦ ଏବଂ ବାକ୍ ଯୁଦ୍ଧ ଜିଲ୍ଲା ରାଜନୀତିକୁ ବେଶ ଉଷ୍ମ କରିଛି। ସ୍ଵାମୀ ନିତେଶ ଗଙ୍ଗଦେବ ବିଜେପି ସାଂସଦ ହୋଇଥିଲେ ସୁଦ୍ଧା ଅରୁନ୍ଧତୀଙ୍କ ବିଜେଡି ପ୍ରତି ଆସକ୍ତି ଥିବା ସ୍ପଷ୍ଟ ବାରି ହୋଇ ପଡିଛି। ନିତେଶ ଗଙ୍ଗଦେବଙ୍କ ସାଂସଦ ଭାବେ କାର୍ଯ୍ୟଶୈଳୀ ଏବଂ ପାର୍ଟି ପ୍ରତି ତାଙ୍କର ଦାୟିତ୍ଵବୋଧ ସେତେଟା ଉତ୍ସାହଜନକ ନୁହେଁ। ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁ। ସେ ବିଜେପିରେ କଣଠେସା ହେବାରେ ଲାଗିଛନ୍ତି। ତେଣୁ ନିତେଶ ଗଙ୍ଗଦେବଙ୍କୁ ଏଥର ବିଜେପି ତରଫରୁ ଟିକେଟ୍ ମିଳିବାର ସମ୍ଭାବନା ଖୁବ୍ କମ୍ ରହିଛି।
ନିର୍ବାଚନ ମଣ୍ଡଳୀର ସମୀକରଣ
ଜିଲ୍ଲା ଗଠନ ପରେ ଦେବଗଡ ରାଜନୀତିର ଇତିହାସ ଉପରେ ନଜର ପକାଇଲେ ଦେଖାଯାଏ ଯେ, ଏଠାକାର ବାସିନ୍ଦା ଦଳ ନୁହେଁ ପ୍ରାର୍ଥୀତ୍ଵ ଉପରେ ଅଗ୍ରାଧିକାର ଦେଇଥାନ୍ତି। ଏଠାରେ ପ୍ରତି ପାଞ୍ଚ ବର୍ଷରେ ପରିବର୍ତ୍ତନର ଧାରା ଦେଖିବାକୁ ମିଳେ। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ସୁବାସ ପାଣିଗ୍ରାହୀ ବିଜୟୀ ହୋଇଥିଲେ। ନଚେତ୍ ଜିଲ୍ଲା ଗଠନ ପରଠୁ ୨୦୧୪ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଗୋଟିଏ ଥରରୁ ଅଧିକ ନିର୍ବାଚନ ଜିତିନାହାନ୍ତି। ୧୯୯୫ରେ ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ୨୦୦୦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀ ବିଜୟୀ ହୋଇଥିଲେ। ୨୦୦୪ରେ ନୀତିଶ ଗଙ୍ଗଦେବ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ତେବେ ୨୦୦୯ରେ ଶାସକ ବିଜୁ ଜନତା ଦଳ ପ୍ରଥମ ଥର ଦେବଗଡ ବିଧାସନଭାକୁ ନିଜ କବଜାକୁ ନେବାରେ ସଫଳ ହୋଇଥିଲା। ବିଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ପ୍ରଧାନ କଂଗ୍ରେସ ପ୍ରାର୍ଥୀ ନୀତିଶ ଗଙ୍ଗଦେବକୁ ହରାଇ ବିଜୟ ଲାଭ କରିଥିଲେ। ପୁଣି ୨୦୧୪ ନିର୍ବାଚନରେ ନୀତିଶ ଗଙ୍ଗଦେବ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। ସେ ବିଜେପି ଟିକେଟରେ ନିର୍ବାଚନ ଲଢି ବିଧାନସଭାକୁ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀ ବିଜୟ ଲାଭ କରି ଦେବଗଡ ନିର୍ବାଚନୀ ମଣ୍ଡଳୀରେ ଜାରି ରହିଥିବା ପାଞ୍ଚ ବର୍ଷିଆ ଧାରାରେ ବିରାମ ଲଗାଇଥିଲେ। ପ୍ରଥମ ଥର ବିଜେପି ଦେବଗଡ ବିଧାସସଭା କ୍ଷେତ୍ରରେ କ୍ରମାଗତ ଦ୍ଵିତୀୟ ଥର ବିଜୟ ହାସଲ କରିବାରେ ସଫଳ ହୋଇଥିଲା।
ବିଜେପି
୨୦୨୪ ନିର୍ବାଚନ ପାଇଁ ଜିଲ୍ଲାର ବିଜେପି, ବିଜେଡି ଏବଂ କଂଗ୍ରେସ ପାର୍ଟି ଅଣ୍ଟା ଭିଡିଲେଣି। ଏବେଠୁ ଜିଲ୍ଲାର ଅନେକ ଆଶାୟୀ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି। ବିଶେଷ କରି ବିଜେପି ଏବଂ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ବିଜେପି ତରଫରୁ ବିଧାୟକ ସୁବାସ ପାଣିଗ୍ରାହୀ ପୁନର୍ବାର ଟିକେଟ୍ ପାଇବାର ପ୍ରବଳ ଦାବିଦାର। ତଥାପି ବିଜେପି ଟିକେଟରେ ନିର୍ବାଚନ ଲଢିବା ପାଇଁ ଅନେକ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ଦେବଗଡ ପୂର୍ବତନ ବାର ଆସୋସିଏସନର ସଭାପତି ସଚ୍ଚିକାନ୍ତ ଦାସ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନିଲୁ ବ୍ରହ୍ମା ଏବଂ ବାରକୋଟର ଅରୁଣ ସାହୁ।
ବିଜେଡି
ସେହିପରି ବିଜେଡିରୁ ଆଶାୟୀଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚରଞ୍ଜନ ବିଶ୍ଵାଳ। ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କୁ କଡା ଟକ୍କର ଦେଇ ୬୭ ହଜାର ୨୪୯ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ। ତାଙ୍କ ପଛକୁ ଆଶାୟୀ ଭାବେ ରହିଛନ୍ତି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ସେ ବିଜେଡିରେ ମିଶିନଥିଲେ ବି ଟିକେଟ୍ ପାଇବାକୁ ଆଶା ରଖିଛନ୍ତି। ମହିଳା ଓ ଶିଶୁ କଲ୍ୟାଣର ପୂର୍ବତନ ଅଧ୍ୟକ୍ଷା ନିବେଦିତା ମଧ୍ୟ ବିଜେଡି ଟିକେଟରେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିବା ରାଜନୈତିକ ମହଲରେ ଚର୍ଚ୍ଚା।
କଂଗ୍ରେସ
ସେହିଭଳି କଂଗ୍ରେସ ଦେବଗଡ ଜିଲ୍ଲା ସଭାପତି ଉମା ସାହୁ ଏଥର ମଧ୍ୟ କଂଗ୍ରେସରୁ ଟିକେଟ୍ ପାଇବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନରେ ତାଙ୍କୁ ୨୭ ହଜାରରୁ ଉର୍ଦ୍ଧ୍ଵ ଭୋଟ୍ ମିଳିଥିଲା। ୨୦୧୪ରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ସେମ ହେମ୍ବ୍ରମ ଟିକେଟ୍ ପାଇବାକୁ ଆଶା ରଖିଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଗତ ନିର୍ବାଚନ ଅପେକ୍ଷା ଏଥର ଦେବଗଡ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବେଶ ସଂଘର୍ଷପୂର୍ଣ୍ଣ ହେବାର ଅନୁମାନ କରାଯାଉଛି। ଯେମିତି ବିଧାନସଭା ନିର୍ବାଚନ ପାଖେଇବ ଜିଲ୍ଲାରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଘଟିବ। ଟିକେଟ୍ ଦୌଡରେ କିଏ ବାଜି ମାରୁଛି ଏବଂ କେଉଁ ଆଶାୟୀଙ୍କୁ କେଉଁ ଦଳରୁ ଟିକେଟ୍ ମିଳୁଛି ତାହା ଦେଖିବା ବାକି ରହିଲା।

 
                        
 
                                 
                                 
                                 
                                 
                                