ଗଣତନ୍ତ୍ର ପାଇଁ ବିପଦଜ୍ଜନକ ! ଲୋକସଭାରେ ୩୫% ଓ ରାଜ୍ୟରେ ୨୪% ହେଲା କାମ


ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା କାରଣରୁ ସଂସଦର ବଜେଟ୍ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାର ଗୃହ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ବଜେଟ୍ ଅଧିବେଶନରେ ସଂସଦର ନିମ୍ନ ସଦନ କୁହାଯାଉଥିବା ଲୋକସଭାରେ କାର୍ଯ୍ୟ ଉତ୍ପାଦକତା ୩୪ ପ୍ରତିଶତ ରହିଛି। ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଉତ୍ପାଦକତା ୮୩.୮୦ ପ୍ରତିଶତ ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମାତ୍ର ୫.୨୯ ପ୍ରତିଶତ ରହିଛି। ଆହୁରି ଦୟନୀୟ ସ୍ଥିତି ରାଜ୍ୟସଭାର। ସଂସଦର ଉଚ୍ଚସଦନର ଉତ୍ପାଦକତା ମାତ୍ର ୨୪.୪ ପ୍ରତିଶତ ରହିଛି।

ଲୋକସଭା
ଗୁରୁତ୍ଵପୂର୍ଣ୍ଣ ବିଷୟରେ ପ୍ରବଳ ହଟ୍ଟଗୋଳ ସତ୍ତ୍ଵେ ବି ଲୋକସଭାରେ ଅଧିବେଶନ ପୂରା ସମୟ ଚାଲିଥିଲା। ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ଏପ୍ରିଲ ୬ ଯାଏଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁତତବୀ ରଖାଯାଇଥିଲା। ସଦନର ୨୫ ବୈଠକ ଅନୁଷ୍ଠିତ ହୋଇଛି, ଯାହା ୪୫ ଘଣ୍ଟା ୫୫ ମିନିଟ୍ ଚାଲିଥିଲା।

ଧନ୍ୟବାଦ ପ୍ରସ୍ତାବ ଉପରେ ୧୩ ଘଣ୍ଟା ୪୪ ମିନିଟ୍ ଆଲୋଚନା

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ୧୩ ଘଣ୍ଟା ୪୪ ମିନିଟ୍ ଧରି ଆଲୋଚନା ହୋଇଥିଲା। ଏଥିରେ ୧୪୩ ସଦସ୍ୟ ଭାଗ ନେଇଥିଲେ। କେନ୍ଦ୍ରୀୟ ବଜେଟ୍ ଉପରେ ସାଧାରଣ ଆଲୋଚନା ୧୪ ଘଣ୍ଟା ୪୫ ମିନିଟ୍ ପର‌୍ୟ୍ୟନ୍ତ ଚାଲିଥିଲା ବେଳେ ହଙ୍ଗାମା ମଧ୍ୟରେ ୧୪୫ ସଦସ୍ୟ ଯୋଗ ଦେଇଥିଲେ। ଅଧିବେଶନ ସମୟରେ ଆଠଟି ସରକାରୀ ବିଧେୟକ ଆଗତ କରାଯାଇଥିବା ବେଳେ ଛଅଟି ଗୃହୀତ ହୋଇଥିଲା।

ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଦୁର୍ବ୍ୟବହାର ଏବଂ ଅନୁଚିତ୍ ଆଚରଣ ସଂସଦ ଏବଂ ଦେଶ ପାଇଁ ହିତକର ନୁହେଁ। ସଦନର ଗରିମା କ୍ଷୁର୍ଣ୍ଣ ହେବା କଦାପି ଗ୍ରହଣୀୟ ନୁହେଁ। ସଂସଦର ମର୍ଯ୍ୟାଦା ଉଚ୍ଚକୋଟିର ରହି ଆସିଛି। ମାତ୍ର ଅଧିବେଶନ ସମୟରେ କିଛି ସାଂସଦଙ୍କ ଆଚରଣ ଠିକ୍ ନଥିଲା।

ରାଜ୍ୟସଭା
ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ସଂସଦର ଉଚ୍ଚସଦନର ଉତ୍ପାଦକତା ମାତ୍ର ୬.୪ ପ୍ରତିଶତ ରହିଛି। ଅଧିବେଶନ ସମାପ୍ତ ହେବା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଗୃହର ଉତ୍ପାଦକତା ୫୬.୩ ପ୍ରତିଶତ ରହିଥିଲା। ମୋଟାମୋଟି ରାଜ୍ୟସଭାର ଉତ୍ପାଦକତା ମାତ୍ର ୨୪.୪ ପ୍ରତିଶତ ରହିଛି। ହଟ୍ଟଗୋଳ, ହୋହାଲ୍ଲା ଏବଂ ହଙ୍ଗାମା କାରଣରୁ ରାଜ୍ୟସଭାର ୧୦୩ ଘଣ୍ଟା ୩୦ ମିନିଟ୍ ବରବାଦ ହୋଇଛି।

ରାଜ୍ୟସଭାର ଗୃହକାର୍ଯ୍ୟକୁ ନେଇ ଅଧ୍ୟକ୍ଷ ଜଗଦୀପ ଧନଖଡ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆମେ ଜନତାଙ୍କ ପ୍ରହରୀ। ଜନତାଙ୍କ ପ୍ରତି ଆମେ ଉତ୍ତରଦାୟୀ। ଜନତାଙ୍କ ସେବା କରିବା ଆମର ପ୍ରଥମ କର୍ତ୍ତବ୍ୟ। ପବିତ୍ର ଗୃହ ଲୋକଙ୍କ ସମଗ୍ର କଲ୍ୟାଣ, ଆଲୋଚନା ଏବଂ ବିଚାର ବିମର୍ଶ ଓ ବିତର୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ଏକ ନୂତନ ମାନଦଣ୍ଡ ଆରମ୍ଭ ହୋଇ ଯାଇଛି ଯାହା ଗଣତନ୍ତ୍ର ପାଇଁ ବିପଦଜ୍ଜନକ।