ଭାରତର ‘ସପ୍ତ ମୁକ୍ତିସ୍ଥଳ’ରେ ସ୍ଥାନ ପାଇଛି ଶ୍ରୀକ୍ଷେତ୍ର ପୁରୀ


ଭୁବନେଶ୍ବର: ଭାରତର ‘ସପ୍ତ ମୁକ୍ତିସ୍ଥଳ’ରେ ସ୍ଥାନ ପାଇଛି ଶ୍ରୀକ୍ଷେତ୍ର ପୁରୀ। ଜଗନ୍ନାଥ ଧାମ ପୁରୀ ସହ ଅଯୋଧ୍ୟା, ମଧୁରା, ହରିଦ୍ବାର, ବାରଣାସୀ, ଉଜ୍ଜୈନ ଓ ଦ୍ବାରକା ଏହି ମୁକ୍ତିସ୍ଥଳ ମଧ୍ୟ ଅନ୍ତର୍ଭୁକ୍ତ। ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭାବେ ପ୍ରଚାରପ୍ରସାର କରାଯାଉଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନ, ତୀର୍ଥସ୍ଥଳୀ ଓ ଉତ୍ପାଦକୁଡିକୁ ନେଇ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ଡିଜିଟାଲ ମାଧ୍ୟମରେ ପ୍ରଚାରପ୍ରସାର ଅଭିଯାନ ଚାଲିଛି। ବିଭିନ୍ନ ତୀର୍ଥସ୍ଥଳୀ ତଥା ଐତିହ୍ୟ ସ୍ଥଳୀ ବିକାଶ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।

ଏ ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ‘ସ୍ବଦେଶ ଦର୍ଶନ’ ଯୋଜନାରେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରତିବର୍ଷ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।