Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଥ୍ୟା ଖବର ପ୍ରଚାର କରିଥିବା ବିଜେପି ମୁଖପାତ୍ର କ୍ଷମା ମାଗ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁରେ ବିହାର ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣର ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ମିଥ୍ୟା ଖବର ପ୍ରଚାର କରିଥିବା ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ପ୍ରଶାନ୍ତ ଉମରାଓ ପଟେଲଙ୍କୁ ତାଗିଦ୍ କରିବା ସହ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉମରାଓଙ୍କ ଓକିଲ ମଧ୍ୟ ଅଧିକ ଦାୟିତ୍ଵବାନ ହେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ପ୍ରଶାନ୍ତ ଉମରାଓ ପଟେଲଙ୍କ ଦୁଇଟି ଯାଚିକା ଉପରେ ଶୁଣାଣି କରିଛନ୍ତି। ପ୍ରଥମ ଯାଚିକା ଟ୍ଵିଟରରେ ମିଥ୍ୟା ଖବର ପ୍ରଚାରକୁ ନେଇ ଅନେକ ଥାନାରେ ରୁଜୁ ଏଫଆଆରକୁ ଗୋଟିଏ ଥାନାକୁ ସ୍ଥାନାନ୍ତର କରିବା। ଦ୍ଵିତୀୟ ଯାଚିକା ଆଗୁଆ ଜାମିନ ଦେବା ସମୟରେ ମାଦ୍ରାସ ହାଇକୋର୍ଟଙ୍କ ଦ୍ଵାରା ଲଗାଯାଇଥିବା ସର୍ତ୍ତ ବିରୋଧରେ ଦାୟର କରାଯାଇଥିଲା।

ଉଭୟ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଥମ ଯାଚିକା ଉପରେ ନୋଟିସ୍ ଜାରି କରିଛନ୍ତି। ଏଥିସହ ମାଦ୍ରାସ ହାଇକୋର୍ଟଙ୍କ ଆଦେଶରେ ପରିବର୍ତ୍ତନ କରି ଉମରାଓଙ୍କୁ ଏପ୍ରିଲ ୧୦ରେ ତାମିଲନାଡୁ ଥାନାରେ ହାଜର ହେବାକୁ ଆଦେଶ ଦେଇଛନ୍ତି।

ମାଦ୍ରାସ ହାଇକୋର୍ଟ ସର୍ତ୍ତ ରଖିଥିଲେ ଯେ, ଉମରାଓଙ୍କୁ ୧୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ଣ ୧୦ଟା୩୦ରୁ ସନ୍ଧ୍ୟା ୫ଟା୩୦ ପର୍ଯ୍ୟନ୍ତ ଥାନାରେ ରିପୋର୍ଟ କରିବାକୁ ପଡିବ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏହି ସର୍ତ୍ତରେ ପରିବର୍ତ୍ତନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷଙ୍କ ଦଲିଲ୍ ଶୁଣିବା ପରେ ପଟେଲଙ୍କୁ ଦାୟିତ୍ଵବାନ ହେବା ସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦିନରେ ତାମିଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣ ସଂପର୍କିତ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ତଥା ଆଇନଜୀବୀ ପଟେଲ୍ ମଧ୍ୟ ଟ୍ଵିଟ କରି ଦାବି କରିଥିଲେ ଯେ, ତାମିଲନାଡୁରେ ୧୫ ପ୍ରବାସୀ ଶ୍ରମିକଙ୍କୁ ହିନ୍ଦୀ ଭାଷାରେ କହିବା କାରଣୁ ମାଡ ମରାଯାଇଥିଲା, ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ