Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ହେବେ ସୁଶ୍ରୀ ଫୁଲମେ ମାଝୀ

କଳାହାଣ୍ଡି,୨୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତର ଅଖ୍ୟାତ ଗାଁ ରାଜେନ୍ଦ୍ରପୁର । ସେଇ ରାଜେନ୍ଦ୍ରପୁରରୁ ନିଜର ନିରବଚ୍ଛିନ୍ନ ସମାଜସେବା ତଥା ଜନତାଙ୍କ ହକ୍ ଓ ଅଧିକାରର ଲଢେଇ କରିବା ସହିତ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁଶ୍ରୀ ଫୁଲମେ ମାଝୀ । ସେହିପରି ଏକ ସ୍ୱେଚ୍ଛାସେବୀ ସଂଗଠନ ତିଆରି କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଶେଷ କରି ନିଜ କୁଟିଆ କନ୍ଧ ସଂପ୍ରଦାୟର ଶିକ୍ଷା, ସଂସ୍କାର, ନିଶାମୁକ୍ତି, ମହିଳା ସଚେତନତା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଆସୁଛନ୍ତି । ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଫୁଲମେ ଦୁଇ ଦୁଇଥର ସରପଞ୍ଚ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ନିଜ ପଞ୍ଚାୟତର ଉନ୍ନତି ପାଇଁ ଅନେକ ପ୍ରୟାସ କରିଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ଉନ୍ନୟନ ଜରିଆରେ ସେ ଲାଞ୍ଜିଗଡ ବ୍ଲକ ଭଳି ଦୁର୍ଗମ ଅଞ୍ଚଳରେ ସଚେତନତାର ଆଲୋକ ବିତରଣ କରି ଚାଲିଥିବାବେଳେ କୋଭିଡ ସମୟରେ ହଜାର ହଜାର ଲୋକଙ୍କୁ ରିଲିଫ ପ୍ରଦାନ ସହିତ ଥଇଥାନ କରି ସେ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲେ। ସମାଜ ପ୍ରତି ତାଙ୍କର ସାମଗ୍ରିକ ଅବଦାନକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହେବାକୁ ଥିବା ଆଦିବାସୀ ମେଳାରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ତ ଏକାଡେମୀ ଅଫ୍ ଟ୍ରାଇବାଲ ଲାଙ୍ଗୁଏଜ ଏଣ୍ଡ କଲଚର ତରଫରୁ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ଆଦିବାସୀ ମେଳାରେ ତାଙ୍କୁ ସମ୍ମାନିତ କରାଯିବ । ସାରା ରାଜ୍ୟରୁ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ୧୦ ଜଣ ଆଦିବାସୀଙ୍କୁ ସମ୍ମାନିତ କରାଯିବାକୁ ଥିବାବେଳେ କଳାହାଣ୍ଡିର ଜିଲ୍ଲାର ଜଣେ ମାତ୍ର ବ୍ୟକ୍ତିତ୍ୱ ଭାବେ ଫୁଲମେ ସମ୍ମାନିତ ହେବେ ବୋଲି ସୂଚନା ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ