Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମାବତୀ ରାଣୀଙ୍କ ଧନଶ୍ରୀ ଓଷା, ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ : ଅଷ୍ଟମ ଦିବସରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୩୧/୦୧-ମୃତ୍ୟୁ ଭୟରେ ମ୍ରିୟମାଣ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପୁତନାକୁ ପଠାଇବା ପରେ ସେଠାରେ ପୁତନାର ମୃତ୍ୟୁ ଘଟିଛି। ଦୂତଠାରୁ ଏହି ସମ୍ବାଦ ପାଇବା ପରେ କଂସ ମନରେ ଆହୁରି ଭୟଜାତ ହୋଇଛି। ତେବେ ନିଜକୁ ଆପ୍ରାଣ ରକ୍ଷା କରିବାକୁ କଂସ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ମନ୍ତ୍ରଣା କରି ହଳାହଳ ବିଷରେ ପରିପୂର୍ଣ୍ଣ କାଳୀୟ ନାଗକୁ ଚିଟାଉ ପ୍ରେରଣ କରି ଡାକି ଆଣିଛନ୍ତି। ତେବେ ଲୀଳାମୟ ଶ୍ରୀକୃଷ୍ଣ କାଳେନ୍ଦ୍ରି ହ୍ରଦରେ ଗୋପବାଳକଙ୍କ ସହିତ କ୍ରୀଡ଼ା ଛଳରେ କାଳୀୟର ଗର୍ବ ଗଞ୍ଜନ କରିଛନ୍ତି। ଶ୍ରୀକୃଷ୍ଣଙ୍କ ଅବତାର ବିଷୟରେ ଜାଣିପାରି ଅନୁତପ୍ତ କାଳୀୟ ହ୍ରଦ ଛାଡି ପଳାଇଯିବାକୁ ଉଦ୍ୟତ ହୋଇଛି। ସେହିପରି ନିଜ ଉପରେ ଘନେଇ ଆସୁଥିବା ବିପଦକୁ ନେଇ ମହାରାଜ କଂସ ଅତିମାତ୍ରାରେ ହତାଶ ହୋଇପଡିଥିବାବେଳେ ତାଙ୍କ ଦୁଃଖକୁ ଭୁଲାଇବାକୁ ପାତ୍ରମନ୍ତ୍ରୀ, ରାଜ ପାରିଷଦଗଣ ରାଜ ଦରବାରରେ ନୃତ୍ୟ ଗୀତର ଆୟୋଜନ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାରମାନଙ୍କ ଅଭିନୟ ବେଶ ଉପଭୋଗ୍ୟ ହୋଇଥିଲା । ଏହି ଅବସରରେ କଂସ ଦରବାରରେ ରାଜଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବରିଷ୍ଠ ସମାଜସେବୀ ବଟକୃଷ୍ଣ ପୁଷ୍ଟି, ଧନୁଯାତ୍ରା କମିଟି ସଭାପତି ଅନନ୍ତ ପ୍ରଧାନୀ, ବିଜେପି ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ବିଜେପି ନେତା ଭାଗିରଥି ଧଙ୍ଗଡାମାଝି, ସୁରେନ୍ଦ୍ର ବେନାଲ, ନରେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାରାଣୀ ପଦ୍ମାବତୀ ଭୂମିକାରେ ବସୁମତୀ ନନ୍ଦ, ମହାମନ୍ତ୍ରୀ ସକ୍ରାଜିତ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଦେବର୍ଷି ନାରଦ ଭାବେ ତରଣୀସେନ ବାରିକ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଯୁବ ଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ଓ ଯୁବ ସମାଜସେବୀ କିଶୋର କୁମାର ଘଡେଇ ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନମାଳୀ ଦଳେଇ, ଉପେନ୍ଦ୍ର ସାହୁ, ପ୍ରମୋଦ ଗୋୟଲ, ଆଲୋକ ରଞ୍ଜନ ଦେହୁରୀଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚତୁର୍ଥ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପ୍ରଦର୍ଶିତ ହୋଇଥିଲା। ଧନୁଯାତ୍ରା ସହିତ ମୀନାବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ