ଖଡଗେଙ୍କ ଘରେ ରାହୁଲଙ୍କୁ ଭେଟିଲେ ନୀତିଶ କୁମାର, ବିରୋଧୀଙ୍କୁ ଏକଜୁଟ କରିବାରେ ଦିଗରେ ବଡ଼ ପଦକ୍ଷେପ !


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଶାସକ ବିଜେପି ଘେରିବାକୁ ସମସ୍ତ ବିରୋଧୀ ଦଳ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି । ବିଖଣ୍ଡିତ ବିରୋଧୀ କଣ ଲୋକସଭା ନିର୍ବାଚନ ପୂବରୁ ଏକଜୁଟ ହୋଇପାରିବେ ଏହା ସବୁଠୁ ବଡ ପ୍ରଶ୍ନ। ତେବେ ସମସ୍ତ ମତଭେଦ ମଧ୍ୟରେ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ନୀତିଶ କୁମାର ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ପହଂଚିଥିଲେ । ଏଠାରେ ପାର୍ଟି ଅଧ୍ୟକ୍ଷଙ୍କ ସହ ରାହୁଲ ଗାନ୍ଧୀଙ୍କ ସ୍ୱାଗତ କରିଛନ୍ତି ।

ବୈଠକ ପରେ ଖବରଦାତାଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି ଏହା ବିରୋଧୀଙ୍କୁ ଏକଜୁଟ କରିବାରେ ଏକ ବଡ଼ ପଦକ୍ଷେପ । ଯିଏ ଆମ ସହିତ ଆସିବେ ତାଙ୍କୁ ସାଥୀରେ ନେଇ ଆଗକୁ ଚାଲିବୁ । ବିରୋଧୀଙ୍କୁ ଗୋଟିଏ ଛତା ତଳେ ଆଣିବା ପାଇଁ ବଡ଼ ଐତିହାସିକ ପଦକ୍ଷେପ ନିଆଯାଇଛି । ବିରୋଧୀ ଦଳ ଏକାଠି ହୋଇ ବିଚାରଧାରାର ଲଢେଇ ଲଢାଯିବ ।

ଏହି ସମୟରେ ନୀତିଶ କୁମାର କହିଛନ୍ତି ଆମେ ଅଧିକରୁ ଅଧିକ ପାର୍ଟିଙ୍କୁ ପୂରା ଦେଶରେ ଏକଜୁଟ କରିବାକୁ ଉଦ୍ୟମ କରିବୁ । ପାଦରେ ପାଦ ମିଶାଇ ଚାଲିବୁ । ଆମ ସହ ସମସ୍ତେ ଆସିବାକୁ ପ୍ରସ୍ତୁତ ହେବା ପରେ ଏକାଠି ବସି ବୈଠକ କରିବୁ । ଏହା ପରେ ହିଁ ଆପଣ ବିରୋଧୀଙ୍କ ଶକ୍ତି ଆପଣ ଜାଣି ପାରିବେ ବୋଲି ବିହାର ମୁ୍‌ଖ୍ୟମନ୍ତ୍ରୀ କହିଛନ୍ତି ।

ସୂତ୍ର ଅନୁଯାୟୀ ନୀତିଶ କୁମାର କଂଗ୍ରେସ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଯୋଡ଼ିବାର କାମ କରିବାକୁ ଇଚ୍ଛୁକ । ମଙ୍ଗଳବାର ହିଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କୁ ସାକ୍ଷାତ କରିଥିଲେ । ଅନ୍ୟପଟେ ତେଜସ୍ୱୀ ଯାଦବ ଇଡିର ପଚରାଉଚୁରା ପାଇଁ ଦିଲ୍ଲୀ ଆସିଥିଲେ ।