କଳାହାଣ୍ଡି,୨୭/୦୩-ପୂର୍ବର ସବୁ ରେକର୍ଡକୁ ଭଙ୍ଗ କରି ପ୍ରଥମ ଥର ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜୁ ଜନତା ଦଳ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଧାନସଭା ସହିତ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। କଳାହାଣ୍ଡି ଜିଲ୍ଲାର ସଂରକ୍ଷିତ ଲାଞ୍ଜିଗଡ ବିଧାନସଭା ଆସନ ପାଇଁ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ପୁଣିଥରେ ଟିକେଟ ଦିଆଯାଇଥିବାବେଳେ ଜୁନାଗଡ଼ ପାଇଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଲଗାତାର ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି ଦଳ। ସେହିପରି ଧର୍ମଗଡ଼ ଆସନରେ ମୌସୁଧି ବାଗଙ୍କ ବଦଳରେ ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି। ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଭବାନୀପାଟଣା ସଦର ଆସନରେ ୧୫ରୁ ଅଧିକ ଆଶାୟୀଙ୍କୁ ଚକମା ଦେଇ ମହିଳା କାର୍ଡ ଖେଳିବା ସହିତ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ପୂର୍ବତନ ଭବାନୀପାଟଣା ପୌରାଧ୍ଯକ୍ଷା ଲଳିତା ନାଏକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜିଲ୍ଲାରେ ଅନୁସୂଚିତ ଜାତି କିମ୍ବା ପଛୁଆ ବର୍ଗରୁ ଲୋକସଭା ପ୍ରାର୍ଥୀ କରାଯିବା ପାଇଁ ଦାବି ହେଉଥିବାବେଳେ ବରିଷ୍ଠ ବିଜେଡି ନେତା ତଥା ଯାଦବ ସମାଜର ଜଣେ ଦୃଢ଼ ସଂଗଠକ ଲମ୍ବୋଦର ନିଆଲଙ୍କ ନାମକୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳ ମୁଖିଆ। ତେବେ ଏକାଧିକ ଆଶାୟୀଙ୍କୁ ନେଇ ଚର୍ଚ୍ଚିତ ନର୍ଲା ଆସନରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନାହିଁ। ଏଥର ଆଗୁଆ ପ୍ରାର୍ଥୀ ଘୋଷଣା ବିଜେଡି ପାଇଁ ବେଶ ସୁବିଧାଜନକ ହେବ ବୋଲି କୁହାଯାଉଥିବାବେଳେ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କୁ ଅଧିକ ସମୟ ମିଳିପାରିବ ବୋଲି ଆଲୋଚନା ହେଉଛି।