Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ବିଧାୟକ ଟିକେଟ ସସପେନ୍ସ : ୨୦୧୯ରେ ଲାଞ୍ଜିଗଡ଼ , ୨୦୨୪ରେ ନର୍ଲା

କଳାହାଣ୍ଡି,୦୪/୦୪-ଦିନ ଯେତେ ଯେତେ ଗଡ଼ିବାରେ ଲାଗିଛି ଉଭୟ ନେତା ଓ କର୍ମୀଙ୍କ ଛାତିର ସ୍ପନ୍ଦନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବିଜେପି, କଂଗ୍ରେସ ବିଧାନସଭା ଓ ଲୋକସଭା ଟିକେଟ ଘୋଷଣା କରିଥିବାବେଳେ ରାଜ୍ୟର ଶାସକ ବିଜୁ ଜନତା ଦଳ ତରଫରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଅଧିରାଜ ପାଣିଗ୍ରାହୀଙ୍କୁ ଟିକେଟ ଦେଇସାରିଛି ବିଜେଡି। ତେବେ ସେଇ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭା ଆସନରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନି ଦଳ। ସପ୍ତାହେ ମଧ୍ୟରେ ଦଳ ମୁଖିଆ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ କଳାହାଣ୍ଡି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ନର୍ଲାରେ ଏ ପର୍ଯ୍ୟନ୍ତ କାହାକୁ ଟିକେଟ ଦିଆଯାଇନାହିଁ। ଯାହାକୁ ନେଇ ଦିନକୁ ଦିନ ଆଶାୟୀଙ୍କ ମଧ୍ୟରେ ସସପେନ୍ସ ବଢ଼ିବାରେ ଲାଗିଛି। ଅଣ ସଂରକ୍ଷିତ ନର୍ଲା ଆସନରେ ସପ୍ତାହେ ପୂର୍ବରୁ କେବଳ ବିଜେଡିରୁ ହିଁ ୨୦ରୁ ଅଧିକ ଆଶାୟୀଙ୍କ ନାଁ ଶୁଣାଯାଉଥିବାବେଳେ ଟିକେଟ ଘୋଷଣା ବିଳମ୍ବକୁ ଦେଖି ଅନେକେ ବିଧାୟକ ଟିକେଟ ମିଳିବା ଆଶା ଛାଡିଦେଲେଣି। ସେହିପରି ନର୍ଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀଙ୍କ ସନ୍ଧାନରେ ରହିଛି ଦଳ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ରାଜନୈତିକ ଭବିଷ୍ୟତ ଏ ପର୍ଯ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ରହିଛି। କେତେ କେତେବେଳେ ଭକ୍ତଙ୍କ ବିରୋଧରେ ଦଳ ତାଙ୍କୁ ଲଢାଇବ ବୋଲି ଶୁଣାଯାଉଥିବାବେଳେ ପୁଣି କେତେବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ସେହିପରି ମହିଳା କାର୍ଡ ଖେଳି ଭକ୍ତଙ୍କୁ ଚକମା ଦେବାକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ନର୍ଲା ଆସନରେ ଏପରି ପରିସ୍ଥିତି ୨୦୧୯ ନିର୍ବାଚନକୁ ମନେ ପକାଇଦେଇଛି। ସେତେବେଳେ ଲାଞ୍ଜିଗଡ ବିଧାନସଭା ପ୍ରାର୍ଥୀ ଘୋଷଣାକୁ ଶେଷ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା ଦଳ। ଏପରିକି ସେତେବେଳେ ବିଧାୟକ ଥିବା ବଳଭଦ୍ର ମାଝୀଙ୍କୁ ଶେଷ ପର୍ଯ୍ୟନ୍ତ ଆଶା ଦେଖାଇ ତାଙ୍କ ଟିକେଟ କାଟିବା ସହିତ ପ୍ରଦୀପ ଦିଶାରୀଙ୍କୁ ଦଳ ଟିକେଟ ଦେଇଥିଲା। ବର୍ତ୍ତମାନ ନର୍ଲା ଆସନରେ ସେଇ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ବି ଦଳ ଏଠାରେ ପ୍ରାର୍ଥୀ ଘୋଷଣା କରି ପାରିନଥିବାବେଳେ ଅନ୍ୟ ବିଧାନସଭା ତଥା ଲୋକସଭା ପ୍ରାର୍ଥୀ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। କିନ୍ତୁ ନର୍ଲା ଆସନର ଆଶାୟୀମାନେ ଏ ଯାଏଁ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। ଯାହାକୁ ନେଇ କେବଳ ଆଶାୟୀ ନୁହଁନ୍ତି କର୍ମୀମାନେ ମଧ୍ୟ ସନ୍ଦିହାନ ହୋଇପଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ