Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରାଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟି ଗ୍ୟାଙ୍ଗ ର ଦୁଇଜଣ ସଦସ୍ୟକୁ ବାନ୍ଧିଲା ପୋଲିସ

ପାରଳାଖେମୁଣ୍ଡି:୪/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗତ କିଛିଦିନ ହେବ ଗଜପତି ଓ ଗଞ୍ଜାମ ସମେତ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ସୁନା ଲୁଟ କରି ଆତଙ୍କ ଖେଳାଇ ଚାଲିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ତେବେ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ଗୁରାଣ୍ଡି ଥାନା ପୋଲିସ୍ । ଗିରଫ ଦୁଇ ଜଣ ଲୁଟେରା ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗଜପତି ନଗର ୭ମ ଲେନର ସୁଜିତ କୁମାର ପାଢୀ(୪୪) ଏବଂ ବଡବଜାର ଥାନା ଗଣପତି ନଗରର ବାଳକୃଷ୍ଣ ସାହୁ(୪୨) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ।ଏହି ଗ୍ୟାଙ୍ଗ ଗଜପତି ଜିଲାର ଗୁରାଣ୍ଡି, କାଶୀନଗର ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ପୂର୍ବରୁ ଏକାଧିକ ଲୁଟ ଓ ଚୋରୀ ମାମଲାରେ ସଂପୃକ୍ତ ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ଗିରଫ ପରେ ଏମାନଙ୍କ ନିକଟରୁ ୩ଟି ପୁସ୍ତଲ, ୫ଟି ସୁନା ଚେନ୍, ଗୋଟିଏ କାନଫୁଲ, ଗୋଟିଏ ମୋବାଇଲ ଏବଂ ଗୋଟିଏ ମୋଟରସାଇକଲ(ଏପି-୩୯ଜିଏମ-୭୨୯୪) ଜବତ ହୋଇଥିବା ନେଇ ଏସଡିପିଓ ପକ୍ଷରୁ ସୂଚନା ଦିଆଯାଇଛି ।ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୩ତାରିଖ ଦିନ ଲିଙ୍ଗିପୁର ଗାଁର ଏସ.ତେଜେଶ୍ବର ରାଓଙ୍କ ଭାଉଜ ଏସ.ଭାନୁମତି ଜିମିରୁ ଫସଲ ନେଇ ଘରକୁ ଫେରୁଥିବା ବେଳେ ଲିଙ୍ଗିପୁର ପୋଲ ଉପରୁ ଦୁଇ ଜଣ ଲୁଟେରା ଏକ ମୋଟର ସାଇକେଲରେ ଆସି ଚେନକୁ ଝାମ୍ପି ନେଇଥିଲେ ।ଏନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା(୩୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଗୁରାଣ୍ଡି ଥାନା ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଏହି ଦୁଇ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରିବା ବେଳେ ସେମାନେ ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିବା ସ୍ବୀକାର କରିଥିଲେ । ଏହାପରେ ସେମାନଙ୍କ ନିକଟରୁ ପୋଲିସ୍ ଚୋରୀ ସାମଗ୍ରୀ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ଏମାନେ ଗତ ପ୍ରାୟ ୬ମାସ ହେଲା ଏହି ଅଞ୍ଚଳରେ ବୁଲି ବିଭିନ୍ନ ସ୍ଥାନରେ ଲୁଟ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବୟସ୍କଙ୍କୁ ଟାର୍ଗେଟ କରିଥିବା ନେଇ ଏସଡିପିଓ ସୂଚନା ଦେଇଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଧରିବାକୁ ପ୍ରୟାସ ଜାରି ରଖିଥିବା ଗଜପତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ