Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୩୦ଯାଏଁ ବଢିଲା କଳାକାର ଭତ୍ତା ଆବେଦନ ତାରିଖ : ଉପକୃତ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକ କଳାକାର

କଳାହାଣ୍ଡି,୧୮/୦୫-ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଓ ଲୋକ କଳାକାରମାନଙ୍କୁ ମାସିକ ଭତ୍ତା ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ଶେଷ ତାରିଖ ରହିଥିଲା। ତେବେ ଏହି ସମୟରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ବ୍ୟସ୍ତତା ଯୋଗୁଁ ବହୁ କଳାକାର ବିଶେଷ କରି ଗ୍ରାମାଞ୍ଚଳର ଲୋକ କଳାକାରମାନେ କାଗଜପତ୍ର ପ୍ରସ୍ତୁତ ପାଇଁ ବ୍ୟାପକ ହଇରାଣ ହୋଇଥିଲେ। ସାଧାରଣ ନିର୍ବାଚନର ଏହି ଘନଘଟା ମଧ୍ୟରେ ଅନେକ କଳାକାର ଭତ୍ତା ଆବେଦନ କରିପାରିନଥିଲେ। ଏପରିକି ରାଜ୍ୟ ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ଯୋଜନାରୁ କଳାହାଣ୍ଡି ସମେତ ରାଜ୍ୟର ଲକ୍ଷାଧିକ କଳାକାର ବଂଚିତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା ସହିତ ସମାଜସେବା କ୍ଷେତ୍ରରେ ଜଡିତ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଗତ ଏପ୍ରିଲ ୨୩ ତାରିଖରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରି କଳାକାର ଭତ୍ତା ଆବେଦନ ତାରିଖ ଏପ୍ରିଲ ୩୦ ବଦଳରେ ଜୁନ ୩୦ କରିବାକୁ ନିବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ଗ୍ରହଣ କରିବା ସହିତ କଳାକାର ଭତ୍ତା ଆବେଦନ ଜୁନ ୩୦ ତାରିଖକୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଏହାଦ୍ୱାରା ରାଜ୍ୟର ଲକ୍ଷାଧିକ ଦୁସ୍ଥ କଳାକାର ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ତଥା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଶ୍ରୀ ବାଗ ଧନ୍ୟବାଦ ଜଣାଇବା ସହିତ ଅଧିକରୁ ଅଧିକ କଳାକାର ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଶ୍ରୀ ବାଗଙ୍କ ପଦକ୍ଷେପକୁ ରାଜ୍ୟର ବିଭିନ୍ନ କଳାକାର ସଙ୍ଘ ତରଫରୁ ପ୍ରଶଂସା କରାଯାଇଛି।