ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ୱଜ ଚୌଧୁରୀ)ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇ ଯାଇଅଛି।ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ , ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ , କାଶୀନଗର ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସହିତ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚାଇ ପାରିବ। ଶିଶୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତି ସାବଧାନ , ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ । ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ(ବୃତ୍ତି ଓ ପ୍ରକ୍ରିୟା) ନିୟୋଜନକୁ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ । କେବଳ ଜୋରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ ବୃତ୍ତିଗତ ପ୍ରକ୍ରିୟା ରେ ନିୟୋଜିତ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି , ଏପରିକି ଉଭୟ ଜେଲଦଣ୍ଡ ଜୋରିମାନା ହୋଇପାରେ । ଏପରି ଭୁଲ ଦ୍ଵିତୀୟଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ । ୧୪ ବର୍ଷରୁ କମ ଶିଶୁ କୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏକ ଅପରାଧ ଅଟେ , ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରୁଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜନ କରୁଛନ୍ତି ତେବେ ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରିପାରିବେ । ଏତତ୍ ବ୍ୟତୀତ, ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନଂ ୧୫୫୩୬୮ ଏବଂ ଚାଇଲଡ଼ ଲାଇନ ନଂ ୧୦୯୮କୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି |ଏହି ଅବସରରେ ବିଭିନ୍ନ ସଂଗଠନର ମହିଳାମାନଙ୍କୁ ନେଇ ସହର ପରିକ୍ରମା କରିବା ସହ ସଚେତନତା ମୂଳକ ଲେଖା ଥିବା ପ୍ଲା-କାର୍ଡ ମାନ ଧରି ଏବଂ ସ୍ଲୋଗାନ ମାନ ଦେଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ଗଜପତି ତଥା ଜିଲ୍ଲା ଶ୍ରମ ଅଧିକାରୀଣୀ ଭାରତୀ ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ସୁକାନ୍ତ କୁମାର ପଣ୍ଡା ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।