Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପନିପରିବା ଦର ଆକାଶଛୁଆଁ : ଗରିବ ହାଣ୍ଡିଶାଳରେ ମହଙ୍ଗା ମାଡ଼

କଳାହାଣ୍ଡି,୨୨/୦୬- ନିର୍ବାଚନ ଶେଷ ଏବଂ ପରେ ନୂଆ ସରକାର ଏବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ପରିବର୍ତ୍ତନର ଦ୍ୱାହି ଦେଇ ସରକାର ପରିବର୍ତ୍ତନ କରିଥିବା ଭୋଟରଙ୍କ ଉପରେ ଏବେ ଜୋରଦାର ହୋଇଛି ମହଙ୍ଗା ମାଡ଼। ଖରା ତାତିଠାରୁ ହଠାତ ବଢିଯାଇଛି ପରିବା ତାତି। ସତେ ଯେମିତି ପରିବା ବଜାରରେ ଲାଗିଛି ନିଆଁ। ଜୀବନ ଜୀଇଁବାର ସାଧନ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଶ୍ରେଣୀରେ ଆସୁଥିବା ପନିପରିବା ଦର ହଠାତ ଆକାଶଛୁଆଁ ହୋଇପଡ଼ିଥିବାବେଳେ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ଉପରେ ଏହି ବୋଝ ଦାଉ ସାଧୁଛି। ଗରିବ ହାଣ୍ଡିଶାଳରେ ଏବେ ପଶିପାରୁନି ଅଦା, ରସୁଣ, ଟମାଟୋ ଭଳି ପରିବା। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାରରେ ଏବେ ପରିବା ଦର ହୁହୁ ହୋଇ ବଢ଼ୁଥିବାବେଳେ ହଜାରେ ଟଙ୍କା ନେଇ ବଜାରକୁ ଗଲେ ବ୍ୟାଗ ପୁରୁନାହିଁ। ସେହିପରି ଜିଲ୍ଲାର ଲାଞ୍ଜିଗତ ବ୍ଲକର ଲାଞ୍ଜିଗଡ, ବିଶ୍ୱନାଥପୁର, ଲାଞ୍ଜିଗଡରୋଡ଼, ବେନଗାଁ, ବିଜେପୁର, ପାହାଡ଼ପଦର, ରାମଚନ୍ଦ୍ରପୁର, ଡଙ୍ଗାଜୋର ଆଦି ସାପ୍ତାହିକ ବଜାରରେ ଏବେ ଅଦା କିଲୋଗ୍ରାମ ପ୍ରତି ୧୬୦ରୁ ୨୦୦ ଟଙ୍କା ଥିବାବେଳେ ରସୁଣ ୨୦୦ ଟଙ୍କା, ଆଳୁ ୪୦ ଟଙ୍କା, ପିଆଜ ୪୦ ଟଙ୍କା, ଟମାଟୋ ୮୦ ଟଙ୍କା, ଗାଜର ୪୦ ଟଙ୍କା, ବାଇଗଣ ୪୦ରୁ ୮୦ ଟଙ୍କା, ଲଇନି ୬୦ ଟଙ୍କା, ଜହ୍ନି ୪୦ରୁ ୬୦ ଟଙ୍କା, ପତ୍ରକୋବି ୬୦ ଟଙ୍କା, ଫୁଲକୋବି ୮୦ ଟଙ୍କା, କଞ୍ଚାଲଙ୍କା କିଲୋଗ୍ରାମ ପ୍ରତି ୧୦୦ ଟଙ୍କା, ପୋଟଳ ୮୦ ଟଙ୍କା, କାଙ୍କଡ଼ ୮୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, କାକୁଡ଼ି ୪୦ ଟଙ୍କା, କୁମଡା ୫୦ ଟଙ୍କା, କଲରା ୬୦ରୁ ୮୦ ଟଙ୍କା, କୁନ୍ଦୁରୁ କିଲୋଗ୍ରାମ ପ୍ରତି ଦର ୪୦ ଟଙ୍କା ରହିଛି। ଜିଲ୍ଲାରେ ପନିପରିବା ଚାଷ ଏବେ କମିଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନଥିବାରୁ ଏବଂ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ପରିବା ଆସୁଥିବାରୁ ଅହେତୁକ ଦରବୃଦ୍ଧି ହେଉଥିବା କୁହାଯାଉଛି। ପରିବା ଦର ଦେଖି ଗରିବ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡୁଥିବାବେଳେ ସରକାର ଓ ପ୍ରଶାସନ ଦରବୃଦ୍ଧି ଉପରେ ତୁରନ୍ତ ରୋକ ଲଗାଇବାର ଆବଶ୍ୟକତା ରହିଛି। ସେହିପରି ଆମିଷ ବ୍ୟଞ୍ଜନକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ମାଛ, ମାଂସ, ଅଣ୍ଡା ଦରବୃଦ୍ଧି ଯୋଗୁଁ ନିରାଶ ହୋଇପଡିଛନ୍ତି। ଏବେ ମାଛ କିଲୋଗ୍ରାମ ପ୍ରତି ୧୮୦ରୁ ୨୦୦ ଟଙ୍କା, ଖାସି ମାଂସ କିଲୋଗ୍ରାମ ପ୍ରତି ୭୦୦ ଟଙ୍କା, ବ୍ରଏଲର କୁକୁଡ଼ା ମାଂସ କିଲୋଗ୍ରାମ ପ୍ରତି ଦର ୨୬୦ରୁ ୨୮୦ ଟଙ୍କା, ଦେଶୀ କୁକୁଡ଼ା ମାଂସ କିଲୋଗ୍ରାମ ପ୍ରତି ଦର ୬୦୦ ଟଙ୍କା ଏବଂ ଅଣ୍ଡା ଗୋଟାକୁ ୮ ଟଙ୍କା ରହିଛି। ଏସବୁ ଉପରେ ତୁରନ୍ତ ନିୟନ୍ତ୍ରଣ କରାନଗଲେ ଜନସାଧାରଣଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିବ। ଏଣୁ ଏଥିପ୍ରତି ସରକାର ଓ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ