Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ ଓ ଗଜାନନ ବେଶ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୩/୬(ଗରୁଡ଼ ଧ୍ୱଜ ଚୌଧୁରୀ)ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ କାର‌୍ୟ୍ୟକ୍ରମ ଉତ୍ସାହ ଓ ଗଜାନନ ବେଶ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇ ସେନାପଟା ଲାଗି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ହୋଇ ଶ୍ରୀ ମନ୍ଦିରରୁ ପବିତ୍ର ଦେବସ୍ନାନ ବେଦୀକୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ସୁଦର୍ଶନ , ବଳଭଦ୍ର , ସୁଭଦ୍ରା ଏବଂ ବଡ଼ ଠାକୁର ଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ସ୍ନାନ ବେଦିରେ ବଡ଼ ଠାକୁରଙ୍କ ଦକ୍ଷିଣ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ମାଟି କଳସିରେ ସୁବାସିତ ଚନ୍ଦନ ଜଳ ଦ୍ୱାରା ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ ପଇଡ଼ ଜଳରେ ସ୍ନାନ କରା ଯାଇଥିଲା ।
ଶ୍ରୀମନ୍ଦିରର ସମସ୍ତ ସେବାୟତ ମାନଙ୍କ ଦ୍ୱାରା ଏହି ଦେବସ୍ନାନ କାର‌୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ସ୍କନ୍ଦ ପୁରାଣ ଓ ବାମଦେବ ସଂହିତା ପ୍ରଭୃତିରେ ଶାସ୍ତ୍ରୀୟ ପ୍ରମାଣ ରହିଥିବା ପ୍ରକାରେ ପବିତ୍ର ସ୍ନାନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ସ୍ନାନ ଜଳରେ ବହୁ ଔଷଧୀୟ ଗୁଣ ଭାରି ରହିଥିବା ବିଶ୍ୱାସ ଯୋଗୁଁ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ମାନେ ସେହି ସ୍ନାନ ଜଳକୁ ନେବାପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।ପରେ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ସ୍ନାନ ବେଦିରେ ଚତୁର୍ଦ୍ଧା-ମୂର୍ତ୍ତିଙ୍କ ମଇଲମ ,ଚନ୍ଦନ ଲାଗି , ସର୍ବାଙ୍ଗ ଓ ବସ୍ତ୍ରଲାଗି ପ୍ରଭୃତି ପୂଜାନୀତି କାର୍ଯ୍ୟ ସମ୍ପନ୍ନ ହେବା ପରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମଧ୍ୟାହ୍ନ ୩ ଟାରୁ ସାଢେ଼ ୩ ଟା ମଧ୍ୟରେ ପବିତ୍ର ସ୍ନାନ ବେଦିରେ ଠାକୁର ମାନଙ୍କ ବିଭିନ୍ନ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ମାନେ ପାରମ୍ପରିକ ରୀତିନୀତି ପ୍ରକାରେ ଗଜାନନ ବେଶରେ ଅତି ସୁନ୍ଦର୍ ଭାବେ ସଜ୍ଜିତ କରିଥିଲେ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।ବର୍ଷକେ ମାତ୍ର ଥରେ ଏହି ଦିନର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବଡ ଠାକୁର ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରୁଥିବା ଯୋଗୁଁ ଏହି ପବିତ୍ର ଆଧ୍ୟତ୍ମିକ ପରିବେଶ ମୟ ମହାପ୍ରଭୁଙ୍କ ପ୍ରଥମ ସ୍ନାନ-ଲୀଳା କାର୍ଯ୍ୟକ୍ରମ ଦର୍ଶନ କରିବା ଏବଂ ମହାପ୍ରଭୁଙ୍କ ସୌନ୍ଦର୍ଯ୍ୟମୟ ଗଜାନନ ବେଶ ଦେଖିବା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିଆ ପାଗ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ଭାବେ ପୋଲିସ ମୃତୟନ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories