Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଞ୍ଚ ଜଙ୍ଗଲ ଭିତରେ ଦେଶୀ ମଦ ଫ୍ୟାକ୍ଟ୍ରି : ମାଡ଼ିବସିଲା ଅବକାରୀ ବିଭାଗ

କଳାହାଣ୍ଡି, ୨୪/୦୬-ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ କାରଖାନା। ବେଆଇନ ଭାବେ ତିଆରି ହେଉଥିଲା ହଜାର ହଜାର ଲିଟର ଦେଶୀ ରନ୍ଧା ମଦ। ଜିଲ୍ଲା ତଥା ଜିଲ୍ଲା ବାହାରକୁ ବ୍ୟାପିଥିଲା ମଦ ମାଫିଆଙ୍କ ସିଣ୍ଡିକେଟ। ମହୁଲ ପୋଚରେ ସ୍ପିରିଟ, ୟୁରିଆ, ସୋଲୁସନ ଆଦି ମିଶାଇ ମଦକୁ ଆହୁରି ନିଶାଯୁକ୍ତ କରିବା ସହିତ ଗରିବ ଗୁରୁବାଙ୍କ ପାଇଁ ଖେଳାଯାଉଥିଲା ମୃତ୍ୟୁର ଖେଳ। ମାଟିତଳେ ପୋତା ହୋଇଥିଲା ହଜାର ହଜାର ଲିଟର ମହୁଲ ପୋଚ। ୭୫ ଡ୍ରମ ମହୁଲ ପୋଚ ଦେଖି ଅବକାରୀ ବିଭାଗର ଆଖି ଖୋସି ହୋଇଗଲା। ଦୀର୍ଘ ସମୟ ଧରି ପରିଶ୍ରମ ପରେ ମାଟିତଳୁ ଡ୍ରମ ସହିତ ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଥିଲା। ଏଭଳି ଏକ ଦୃଶ୍ୟ ଆଜି ଅବକାରୀ ବିଭାଗ ସହିତ ସାଧାରଣ ଲୋକଙ୍କୁ ଚକିତ କରିଦେଇଛି। ଏଭଳି ଘଟଣାଟି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ-ନର୍ଲା ସୀମାନ୍ତ ତଥା ନର୍ଲା ଥାନା ସାପଦୁହୁନି ନିକଟସ୍ଥ ଜଙ୍ଗଲରେ। ଦୀର୍ଘ ଦିନ ଧରି ଜଙ୍ଗଲ ଭିତରେ ବ୍ୟାପକ ପରିମାଣର ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଅବକାରୀ ବିଭାଗ ଆଜି ଦିନବେଳେ ସାପଦୁହୁନି ଜଙ୍ଗଲରେ ଚଢ଼ାଉ କଲାବେଳେ ଘଟଣା ସାମ୍ନାକୁ ଆସିଥିଲା। ଜଙ୍ଗଲ ଭିତରେ ମାଟିତଳେ ୭୫ ଡ୍ରମ ମହୁଲ ପୋଚ ପୋତା ଯାଇଥିବାବେଳେ ବାହାରେ ଚାଲିଥିଲା ମଦ ପ୍ରସ୍ତୁତି। ଅବକାରୀ ବିଭାଗକୁ ଦେଖି ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇଥିବାବେଳେ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ କର୍ମଚାରୀମାନେ ଶହଶହ ଲିଟର ମହୁଲ ପୋଚ ଢାଳି ନଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ମହାମାରୀ କରୋନା ସମୟରେ ସବୁଆଡେ ଲକଡାଉନ ହୋଇଥିବାବେଳେ ଲାଞ୍ଜିଗଡ-ନର୍ଲା ସୀମାନ୍ତରେ ମଦ ମାଫିଆମାନେ ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେତେବେଳେ ଅଞ୍ଚଳରେ ଦେଶୀ ରନ୍ଧା ମଦ ପ୍ରସ୍ତୁତି କୁଟୀର ଶିଳ୍ପ ପାଲଟିଥିବାବେଳେ ଲାଇସେନ୍ସ ପ୍ରାପ୍ତ ଦେଶୀ, ବିଦେଶୀ ମଦ ଦୋକାନ ସବୁ ବନ୍ଦ ଥିବାରୁ ଏହି ମଦ ବ୍ୟବସାୟୀମାନେ ନକଲି ଓ ବିଷାକ୍ତ ମଦ ତିଆରି କରି ବେଶ ମାଲାମାଲ ହୋଇଥିଲେ। ଏବେ ବି ସେଇ ମଦ ବେପାରୀମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ ହଜାର ହଜାର ଲିଟର ମଦ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରକୁ ଚୋରାଚାଲାଣ କରୁଛନ୍ତି। ସେହିପରି ସ୍ପିରିଟ, ୟୁରିଆ, ସୋଲୁସନ ମିଶାଇ ନକଲି ଓ ବିଷାକ୍ତ ମଦ ତିଆରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ସେହିପରି କମ ଦାମରେ ଦମଦାର ନିଶା ସେବନର ଲୋଭରେ ପଡ଼ି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ଏଇ ମଦ ପିଇ ସର୍ବସ୍ୱାନ୍ତ ହେବା ଭଳି ଅକାଳରେ ଜୀବନ ହାରିବାର ବି ନଜିର ରହିଛି। ଏଣୁ ନୂଆ ସରକାର ମଦ ବନ୍ଦ ନକଲେ ନାହିଁ, ନକଲି ଓ ବିଷାକ୍ତ ମଦ କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ