କୋଇଲା ବ୍ୟବସାୟକୁ ନେଇ ଫୁଟିଲା ଗୁଳି, ୧୦ ଆହତ


ହେମଗିରି: ଅଶାନ୍ତ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳର ଗର୍ଜନବାହାଲ । କୋଇଲା ବ୍ୟବସାୟକୁ ନେଇ ଗୋଷ୍ଠୀ ସଂଘର୍ଷ । ଫୁଟିଲା ଗୁଳି । ୧୦ ଜଣ ଆହତ । ଘଟଣାରେ ସଂପୃକ୍ତି ଅଭିଯୋଗରେ ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, କୋଇଲା ୱାସେରିକୁ ନେଇ ଛତିଶଗଡ ରାଏଗଡର ୨ ଜଣ ବ୍ୟବସାୟୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଗତକାଲି କୋଇଲା ବ୍ୟବସାୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀର ୫୦ ଊର୍ଦ୍ଧ୍ବ ଯୁବକ ସେଠାରେ ପହଞ୍ଚିବା ପରେ ମାରପିଟ ଆରମ୍ଭ ହୋଇଥିଲା । ପରେ ଫାଙ୍କା ଗୁଳି ଚାଳନା ମଧ୍ୟ ହୋଇଥିଲା । ମାଡ଼ପିଟରେ ୧୦ ଜଣ ଆହତ ହୋଇଛନ୍ତି ।

ଖବର ପାଇ ସଦର ଏସଡିପିଓ, ହେମଗିର୍ ଥାନା ପୋଲିସ ସମେତ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ୧୦ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ସକାଳୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି । ଆହତମାନଙ୍କୁ ସୁନ୍ଦରଗଡ଼ ଓ ରାୟଗଡ଼ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।