ଘରକୁ ଫେରୁଥିବା ବେଳେ ମାଡ଼ିଗଲା ହାଇଓ୍ବା, ୩ ମୃତ


ସୁନ୍ଦରଗଡ଼: କାମ ସାରି ଘରୁକ ଫେରୁଥିବା ବେଳେ ୩ ଜଣ ଶ୍ରମିକଙ୍କ ଉପରେ ଚଢ଼ିଗଲା ହାଇଓ୍ବା । ଘଟଣା ସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଘଟଣା ସୁନ୍ଦଗଡ଼ ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି । ମୃତକମାନେ କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ତୋଡା ବସ୍ତିର ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ ଏବଂ ଅନୀଲ ଦେହୁରୀ ।

ସବୁଦିନ ପରି ତିନି ଜଣ ଆଜି ମଧ୍ୟ କାମ କରିବାକୁ ଯାଇଥିଲେ । କାମ ସାରି ସନ୍ଧ୍ୟାରେ ସମସ୍ତେ ଏକ ବାଇକରେ ଘରକୁ ଫେରୁଥିଲେ । ତେବେ ୫୨୦ ଜାତୀୟ ରାଜପଥର ବେଞ୍ଜାଢ଼ି ବ୍ରିଜ୍ ନିକଟରେ ବିପରୀତ ଦିଗରୁ ଏକ ହାଇଓ୍ବା ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାରମ୍ୱାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । କିଛି ସମୟ ପାଇଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଏହାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ହାଇୱା ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଗାଡିକୁ କିଛି ଦୂର ନେବା ପରେ ବାଟରେ ରଖି ଫେରାର ହୋଇଯାଇଛି । ପୋଲିସ୍‌ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏହା ପୂର୍ବରୁ ଅର୍ଥାତ ସପ୍ତାହେ ତଳେ ବୋଲେରୋ ଧକ୍କାରେ ଉକ୍ତ ଅଞ୍ଚଳରେ ୩ ଜଣଙ୍କ ଜୀବନ ଯାଇଥିଲା ।