ଗଣତନ୍ତ୍ର ପାଇଁ ବିପଦ…ଅତିକ୍ ଅହମ୍ମଦଙ୍କ ହତ୍ୟା ଉପରେ ସୁପ୍ରିମକୋର୍ଟରେ ପିଟିସନ, ୨୮ରେ ଶୁଣାଣି


ନୂଆଦିଲ୍ଲୀ: ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅସ୍ରଫ ଅହମ୍ମଦଙ୍କ ପୋଲିସ ହେପାଜତରେ ହତ୍ୟାକୁ ନେଇ ଦାଖଲ ଆବେଦନ ଉପରେ ଏପ୍ରିଲ ୨୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଅଦାଲତରେ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ଵତନ୍ତ୍ର ଆୟୋଗ ଗଠନ କରିବାକୁ ଦାବି କରାଯାଇଛି। ସାମ୍ବାଦିକ ବେଶରେ ଆସିଥିବା ତିନି ଜଣ ପୋଲିସ ଉପସ୍ଥିତିରେ ସଭିଙ୍କ ସାମ୍ନାରେ ଦୁଇ ଭାଇଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପୂରା ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହି ମାମଲାରେ ଆଇନଜୀବୀ ବିଶାଲ ତିଓ୍ଵାରୀ ଯାଚିକା ଦାଖଲ କରିଛନ୍ତି। ଅତିକ ଅହମ୍ମଦ ଏବଂ ଅସ୍ରଫଙ୍କ ହତ୍ୟା ବ୍ୟତୀତ ଉତ୍ତର ପ୍ରଦେଶରେ ୨୦୧୪ ପରଠୁ ଅଦ୍ୟାବଧି ଘଟିଥିବା ୧୮୩ ଏନକାଉଣ୍ଡର ତଦନ୍ତ ଦାବି କରିଛନ୍ତି ବିଶାଲ ତିଓ୍ଵାରୀ। ସୋମବାର ସେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠରେ ମାମଲାର ତତ୍କାଳ ଶୁଣାଣି କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ମାମଲା ପାଇଁ ସେ ଗତ ସୋମବାର ଅଦାଲତ ଆସିଥିଲେ, ମାତ୍ର ଶୁଣାଣି ହୋଇ ପାରିନଥିଲା। କରୋନା ସଂକ୍ରମଣ ଏବଂ ଅନ୍ୟ ସମସ୍ୟା କାରଣରୁ ୫୫ ଜଜ ଉପଲବ୍ଧ ନଥିଲେ, ତେଣୁ ଆପଣଙ୍କ ଯାଚିକା ସହ କିଛି ମାମଲା ପଞ୍ଜୀକୃତ ହୋଇପାରିନଥିଲା। ଏହା ଉପରେ ଶୁକ୍ରବାର ଶୁଣାଣି କରିବାକୁ ଉଦ୍ୟମ କରିବୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ନିଜ ଆବେଦନରେ ଅତିକ ଅହମ୍ମଦ ଏବଂ ଅସ୍ରଫଙ୍କ ହତ୍ୟାକୁ ଉଲ୍ଲେଖ କରି ବିଶାଲ କହିଛନ୍ତି, ପୋଲିସର ଏହି ଧରଣର କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ର ପାଇଁ ବିପଦ। ଗଣତାନ୍ତ୍ରିକ ସମାଜରେ ପୋଲିସକୁ ଶେଷ ନିଷ୍ପତ୍ତି କରିବାର ଅନୁମତି ଦିଆଯାଇ ପାରିବ ନାହିଁ। କୌଣସି ଅପରାଧୀଙ୍କୁ ସଜା ଦେବାର ଶକ୍ତି ତ ନ୍ୟାୟପାଳିକା ନିକଟରେ ରହିବା ଉଚିତ୍।