ସାଲିଆ ସାହିରେ ସୁଡଙ୍ଗ ଭିତରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି


ଭୁବନେଶ୍ବର: ରାଜଧାନୀର ସାଲିଆ ସାହି । ଦେଶୀ ମଦର ପାଲଟିଛି ହଟସ୍ପଟ । ଘରେ ଘରେ ତିଆଣି ହେଉଛି ମଦ । ଏପରିକି ଘର ଭିତରେ ସୁଡ଼ଙ୍ଗ କରି ତିଆରି କରାଯାଉଛି ମଦ । ରାଜଧାନୀ ଛାତି ଉପରେ କଡ଼ା ସୁରକ୍ଷା ଭିତରେ ଭିତରେ ଏମିତି ଦେଶୀ ମଦ ତିଆରି ହେଉଥିଲେ ବି ପୋଲିସ ପାଖରେ କୌଣସି ଖବର ନଥିଲା ।

ରାଜ୍ୟରେ ମଦମୃତ୍ୟୁ ପରେ ସାଲିଆ ସାହିରେ ପୋଲିସ ଚଢ଼ାଉ ସମୟରେ ସୁଡ଼ଙ୍ଗରେ ମଦ ତିଆରି ଘଟଣା ପଦାକୁ ଆସିଛି ।

ଆଜି ପୁଣି ଥର ସକାଳୁ ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଆଡ୍ଡାରେ ଚଢ଼ାଉ ହୋଇଛି । ଏହି ସମୟରେ ଜବତ ହୋଇଛି ଶହ ଶହ ଲିଟର ଦେଶୀମଦ । ରନ୍ଧା ମଦ, ପୋଚ ତିଆରି ହେଉଥିବା ଖବର ପାଇବା ପରେ ସକାଳୁ ଭୁବନେଶ୍ୱର ଅବକାରୀ ଟିମ ସାଲିଆ ସାହିରେ ରେଡ଼ କରିଥିଲା ।

ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା । ସାଲିଆ ସାହିର ପ୍ରାୟ ସମସ୍ତଙ୍କ ଘରେ ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ଅବକାରୀ ଟିମ୍ । ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ । ଦୁଇଦିନ ତଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଥିଲା । ରେଡ୍ ସମୟରେ ହଜାର ହଜାର ଲିଟର ଦେଶୀ ମଦ ଜବତ ହୋଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରୁଥିଲେ ସୁଦ୍ଧା ଏତେ ପରିମାଣର ମଦ କିପରି ପ୍ରସ୍ତୁତ ହେଉଛି ?