Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ଲିମିଟେଡ଼ ପାଲଟିଛି ଅଭିଶାପ : ବଣ୍ଡେଲ ଗାଁର ଦୁଃଖ ସରୁନି

କଳାହାଣ୍ଡି,୧୦/୦୯-ଦୀର୍ଘ କୋଡିଏ ବର୍ଷ ହେଲା ଅଞ୍ଚଳର ବିକାଶ ନାଁରେ ଲାଞ୍ଜିଗଡ଼ଠାରେ ସ୍ଥାପିତ ହୋଇଛି ବେଦାନ୍ତ ଲିମିଟେଡ଼। ତେବେ ଆଜି ବି ବେଦାନ୍ତ ଦ୍ୱାରା ବିସ୍ଥାପିତ ଲୋକେ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହିପରି ଭାବେ ଦୁର୍ଦ୍ଦିନ ମଧ୍ୟରେ ରହିଛି ବେଦାନ୍ତ ଲିମିଟେଡ଼ର ରିଫାଇନେରୀ ପ୍ରକଳ୍ପର ମାତ୍ର ଶହେ ମିଟର ଦୂରରେ ଥିବା ବଣ୍ଡେଲ ଗାଁ। ଗାଁରେ ସମୁଦାୟ ୪୮ ଗୋଟି ଆଦିବାସୀ ଓ ଦୁଇଗୋଟି ଅନୁସୂଚିତ ଜାତି ପରିବାର ରହୁଥିବାବେଳେ ବେଦାନ୍ତ ପ୍ରକଳ୍ପ ଦ୍ୱାରା ଗାଁର ସମସ୍ତେ ନିଜ ନିଜର ଜମି ହରାଇଛନ୍ତି। ତେବେ ନିଜ ନିଜର ଜାଗା ଓ ଜମି ହରାଇ ନିସ୍ବ ହୋଇପଡିଥିବା ବଣ୍ଡେଲ ଗ୍ରାମବାସୀଙ୍କୁ ନାମମାତ୍ର କ୍ଷତିପୂରଣ ବ୍ୟତୀତ ପ୍ରତିଶୃତି ଦେବା ସତ୍ତ୍ୱେ ଆଜିଯାଏ ନିଯୁକ୍ତି ଦିଆଯାଇନାହିଁ। ଏପରିକି ଖରା ଦିନେ କମ୍ପାନୀର ଧୂଳି, ଧୂଆଁ, ରେଡ ମଡ଼ ପାଉଡର, ଫ୍ଲାଏ ଆଶ ପାଉଡର ଗୁଣ୍ଡରେ ଅତିଷ୍ଠ ହୋଇ ପଡୁଥିବା ଗ୍ରାମବାସୀଙ୍କୁ ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷା ଆହୁରି ଦାଉ ସାଧୁଛି। ପ୍ରବଳ ବର୍ଷା ଯୋଗୁଁ କମ୍ପାନୀ ପରିସରରୁ ପାଚେରୀ ଭାଙ୍ଗି ଅଢେଇ ଫୁଟ ଉଚ୍ଚର ରେଡମଡ଼ ମିଶ୍ରିତ ଗୋଳିଆ ତଥା ବିଷାକ୍ତ କଷ୍ଟିକ ପାଣି ପ୍ରବାହିତ ହୋଇ ବଣ୍ଡେଲ ଗାଁ ଦାଣ୍ଡ ଖାଲୁଆ ସ୍ଥାନରେ ଥିବା ଦଶରୁ ଅଧିକ ଘରେ ପାଣି ପଶିଯାଇଛି। ବିଷାକ୍ତ କଷ୍ଟିକ ପାଣି ଯୋଗୁଁ ଚର୍ମ ଓ ବିଭିନ୍ନ ଦୁରାରୋଗ୍ୟ ହେବା ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନଳକୂଅରେ ମଧ୍ୟ ଗୋଳିଆ ପାଣି ବାହାରୁଥିବାରୁ ଗାଁ ଲୋକେ ପିଇବା ପାଣି ମୁନ୍ଦିଏ ପାଇଁ ଆହୁରି କଲବଲ ହେଉଛନ୍ତି। ବାକି ଥିବା ଚାଷ ଜମିଗୁଡ଼ିକରେ ମଧ୍ୟ ବିଷାକ୍ତ ପାଣି ପଡ଼ିଯିବା ସହିତ ଚାଷ ମଧ୍ୟ ଉଜୁଡିଯାଇଛି। କିନ୍ତୁ ଅଞ୍ଚଳର ବିକାଶର ଦ୍ୱାହି ଦେଉଥିବା ତଥା ନିଜକୁ ପ୍ରଦୂଷଣ ମୁକ୍ତ କମ୍ପାନୀ ଭାବେ ପ୍ରତିପାଦିତ କରୁଥିବା କମ୍ପାନୀର ଉଚ୍ଚ ପଦସ୍ତ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ବଣ୍ଡେଲ ପରି ଦୁର୍ଦ୍ଦଶାଗ୍ରସ୍ତ ଗ୍ରାମବାସୀଙ୍କ ଦୁଃଖ ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି। ଏଣୁ ଆଗାମୀ ଦିନରେ ବଣ୍ଡେଲ ଗ୍ରାମବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନଚେତ ଗ୍ରାମବାସୀଙ୍କୁ ବିସ୍ଥାପିତ କରିବା ସହିତ ଉପଯୁକ୍ତ ଥଇଥାନ କରାନଗଲେ ଗ୍ରାମବାସୀ ଭୟାବହ ଆନ୍ଦୋଳନ କରିବା ସହିତ କମ୍ପାନୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଚଳ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି।