୨୧ ବର୍ଷ ହୋଇ ନଥିବା ଯୁବତୀଙ୍କୁ ସୁଭଦ୍ରା ଫର୍ମ ଫେରାଇବାକୁ କହିବାରୁ ଅଙ୍ଗନବାଡି କର୍ମୀଙ୍କୁ ମାଡ଼


ଭଦ୍ରକ: ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ଫେରାଇବାକୁ କହିବାରୁ ଜଣେ ଅଙ୍ଗନବାଡ଼ି କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଘଟିଛି । ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖାଙ୍କ ଅନୁପସ୍ଥିତିରେ ହେଲପରଙ୍କ ଜରିଆରେ ଜଣେ ହିତାଧିକାରୀ ସୁଭଦ୍ରା ଫର୍ମ ନେଇଥିଲେ । ପରେ ଦିପ୍ତିରେଖା ଆସି ହିତାଧିକାରୀଙ୍କ ଆଧାରକାର୍ଡ ଯାଞ୍ଚ କରିବାରୁ ତାଙ୍କର ୨୧ ବର୍ଷ ହୋଇ ନଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ ଦିପ୍ତିରେଖା ତାଙ୍କୁ ଫର୍ମଟି ଫେରାଇ ଦେବା ପାଇଁ କହିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

କିଛି ଲୋକ ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଭଙ୍ଗାରୁଜା କରିବା ସହ ଦିପ୍ତିରେଖାଙ୍କୁ ମାଡ଼ ମାରିଥିଲେ । ଏନେଇ ଦିପ୍ତିରେଖା ବାଶଂଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି । ୩ ଜଣଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବାଂଶଡ଼ା ଥାନା OIC ଦେବରାଜ ଜେନା କହିଛନ୍ତି । ୩ ଦିନ ତଳେ ଏହି ଘଟଣା ଘଟିଥିବା ଜଣାଯାଇଛି ।

ଅଭିଯୋଗକାରୀ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ କହିଛନ୍ତି, ସେ ଅଯୋଗ୍ୟ ହୋଇଥିବାରୁ ଫର୍ମ ଫେରାଇ ଦେବାକୁ କହିଥିଲି । ହେଲେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଥିଲେ ଓ ମୋତେ ମାଡ଼ ମାରିଥିଲେ ।