ନାବାଳିକାଙ୍କୁ ବିବାହିତ ଯୁବକଙ୍କ ପ୍ରେମ, ଉଭୟ ଆତ୍ମହତ୍ୟା କରିଦେଲେ


କଟକ: ବିବାହ କରି ଘର ସଂସାର କରିବା ପରେ ନାବାଳିକାଙ୍କ ପ୍ରେମରରେ ପଡ଼ିଲେ । ହେଲେ, ନା ପ୍ରେମିକାକୁ ଛାଡି ପାରିଲେ, ନା ପରିବାରକୁ ନିଜ ପ୍ରେମ ସମ୍ପର୍କରେ କହି ପାରିଲେ । ଶେଷରେ ଉଭୟ ନେଲେ ଚରମ ନିଷ୍ପତ୍ତି । ଆଜି ସକାଳୁ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ଏପରି ଘଟଣା କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁରରେ ଘଟିଛି ।

ମୃତ ଯୁବକ ଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି । ମନୋଜ ୫ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ପୁଅ ଅଛି ।

ମାତ୍ର କିଛି ମାସ ହେବ ସେ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ । ଉଭୟ ଫୋନରେ କଥା ହେଉଥିବା ନାବାଳିକାଙ୍କ ପିତା କହିଛନ୍ତି । କିନ୍ତୁ ପୁଅ ବାପା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି ।

ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ପାଗା ଫାଣ୍ଠିରେ ଅଭିଯୋଗ କରିଥିଲେ ।

ନାବାଳିକା ଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁ ଆଡ଼େ ଚାଲି ଯାଇଥିଲେ । ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ । ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ଉଭୟ ପୁଅ ଓ ଝିଅ ଘର ଲୋକଙ୍କ ସମେତ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।