Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁକସାନାଙ୍କ ପରେ କଳାହାଣ୍ଡିର ଆଉ ଜଣେ କଳାକାରଙ୍କ ଦୁଃଖଦ ମୃତ୍ୟୁ

କଳାହାଣ୍ଡି, ୨୪/୦୯- ସମ୍ବଲପୁରୀ ଆଲବମ ଅଭିନେତ୍ରୀ ରୁକସାନା ବାନୋ ଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସସ୍ପେନସ ଲାଗି ରହିଥିବାବେଳେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ କଳାକାରଙ୍କ ମୃତ୍ୟୁ ଜିଲ୍ଲାର କଳାଜଗତରେ ଶୋକ ଖେଳାଇଦେଇଛି। ମୃତ କଳାକାର ଜଣକ ହେଉଛନ୍ତି ଜିଲ୍ଲାର ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁର ଅକ୍ରୁର ଭୋଇ। ପେଟପାଟଣା ପାଇଁ ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାରଙ୍କ ପାଖରେ କାମ କରୁଥିବା ଅକ୍ରୁର ସୋମବାର ଦିନବେଳେ ଖାଇସାରି ବାହାରକୁ ହାତ ଧୋଇବାକୁ ଯାଇଥିବାବେଳେ ତଳେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବୁର୍ଲା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗାଁର ସଞ୍ଜୟ ବୁଦ୍ଧିଆ, ଭୁଜଦେବ ନାଏକ, ନୀଳମଣି ଚନ୍ଦନ ପ୍ରମୁଖ ନିଜସ୍ୱ ଉଦ୍ୟମରେ ଏକ ଗାଡି ନେଇ ବୁର୍ଲା ଯାଇଥିଲେ। ସେମାନଙ୍କ ସହିତ ଅକ୍ରୁରଙ୍କ ବଡ଼ଭାଇ ଅର୍ଜୁନ ଭୋଇ, କାକା କାଲାମଣି ଭୋଇ ପ୍ରମୁଖ ବୁର୍ଲା ପହଂଚିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶବ ନେଇ ଫେରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଁ ମଶାଣିରେ ଶବ ସଂସ୍କାର କରାଯାଇଥିଲା। ଶବାଧାରରେ ନାରାୟଣ ଚନ୍ଦନ, ବଂଶୀଧର ଚନ୍ଦନ, ଧନୁ ଗହୀର, ନୀଳମଣି ଚନ୍ଦନ, ଭୁଜଦେବ ନାଏକ, ଶୁକୃ ତାଣ୍ଡି, ଶିକ୍ଷକ ତଥା ସମାଜସେବୀ ବିଭୁତି ଭୂଷଣ ତାଣ୍ଡି, ଭାଗିରଥି ତାଣ୍ଡି, ଅମରେଶ ବୁଦ୍ଧିଆ, ସିଦ୍ଧାନ୍ତ ସାହୁ, ଛବି ଗବର୍ତ୍ତୀ, ଅଭି ବଗର୍ତି, ରାହୁଲ ସୁନା, ଶ୍ୟାମ ସୁନା, ଅର୍ଜୁନ ବେନୁଆ, ରାଜେଶ ମାଝୀଙ୍କ ସମେତ ବହୁସଂଖ୍ୟାରେ ଆତ୍ମୀୟ ସ୍ୱଜନ ସାମିଲ ଥିଲେ। ଅକ୍ରୁରଙ୍କ ମୃତ୍ୟୁ ପରେ କମର୍ଦ୍ଧା ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି। ସୂଚନାଯୋଗ୍ୟ, ଅକ୍ରୁର ପିଲାଟି ଦିନରୁ ନିଜେ ଗୀତ ଲେଖିବା ଓ ଗାଇବା ସହିତ ଜଣେ କଳାକାର ଭାବେ ନିଜର ପରିଚୟ ହାସଲ କରିଥିଲେ। ଏପରିକି ତାଙ୍କ ପ୍ରଯୋଜନାରେ ଗତ ୨୦୧୯ ଅଗଷ୍ଟ ୨୦ ତାରିଖରେ ‘କଲାହାଣ୍ଡିଆ ପିଲା’ ଶୀର୍ଷକ ସମ୍ବଲପୁରୀ ଗୀତ ମୁକ୍ତିଲାଭ କରି ସମଗ୍ର କଳାହାଣ୍ଡିରେ ଚହଳ ପକାଇଥିଲା। ତେବେ ସଂଯୋଗର ବିଷୟ ହେଉଛି, ଏହି ଚର୍ଚ୍ଚିତ ଗୀତଟିକୁ ବି ଗାଇଥିଲେ ରୁକସାନା ବାନୋ ମୃତ୍ୟୁ ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ସିଙ୍ଗର ରୁକୁ ସୁନା। ତେବେ ଯୁବ ଓ ପ୍ରତିଭାବାନ କଳାକାର ହୋଇଥିବା ସତ୍ତ୍ୱେ ଗତ ବର୍ଷକ ତଳେ ଏକ ଦୁର୍ଘଟଣାରେ ତାଙ୍କ ବାପା କୁଳମଣି ଭୋଇଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ପେଟପାଟଣା ଦାୟରେ ସେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। ସମ୍ବଲପୁର ତଥା ଅନ୍ୟ ଅଞ୍ଚଳକୁ ଯାଇ କାମ କରୁଥିଲେ। ମଝି ମଝିରେ ଘରକୁ ଆସୁଥିଲେ। ଗତ ନୂଆଖାଇରେ ଘରକୁ ଆସି ପୁଣି ଫେରିଥିଲେ କର୍ମକ୍ଷେତ୍ରକୁ। ଏପରି ଭାବେ ଦୁର୍ଦ୍ଦିନରେ ଦିନ କାଟୁଥିବା ଜଣେ ଦୁସ୍ଥ କଳାକାରଙ୍କ ଜୀବନର ଅନ୍ତ ଘଟିଛି। ଗାଁର କିଛି ଶୁଭେଛୁ ଓ ସମର୍ଥକ ତଥା ଠିକାଦାରଙ୍କ ସହଯୋଗରେ ଗାଁକୁ ଶବ ଫେରିଥିବାବେଳେ ଏବେ ଭେଣ୍ଡିଆ ବୟସରେ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ବିଧବା ମାଆ। କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ସଭିଙ୍କ ମୁହଁରେ ଶୋକର ଛାୟା। ଜଣେ ବଣମଲ୍ଲୀ ବାସ୍ନା ଚହଟିବା ଆଗରୁ ଅକାଳରେ ଝରିପଡିଛି। ବିଦାୟ ଅକ୍ରୁର। ବିଦାୟ କଲାହାଣ୍ଡିଆ ପିଲା। ବିଦାୟ।