ସ୍କୁଲ ଛାତ ଉପରେ ଯୁବକ: କାଲିଠୁ ପୋଲିସକୁ କଲାଣି ନାକେଦମ, ଓହ୍ଲାଇବାକୁ କହିଲେ ମାରିଛି ତୀର, ବାଟୁଳି


ସୁନ୍ଦରଗଡ଼: ମହୁଲପଡ଼ା ଥାନା ଅନ୍ତର୍ଗତ ବଡ଼ଜଲ ଗାଁରେ ଥିବା ସରକାରୀ ସ୍କୁଲର ଛାତ ଉପରେ ଚଢ଼ି ଗତକାଲିଠାରୁ ଉତ୍ପାତ ମଚାଇଛି ଜଣେ ଯୁବକ । ଉଦ୍ଧାର କରିବାକୁ ଆସି ପୋଲିସ ବି ହେଲାଣି ନାକେଦମ । ଓହ୍ଲାଇବାକୁ କହିଲେ, ପୋଲିସକୁ ଟାର୍ଗେଟ କରି ମାରୁଛି ଧନୁତୀର ଓ ବାଟୁଳି । ସଂପୃକ୍ତ ଯୁବକ କିଏ ଓ କାହିଁକି ଏପରି କରୁଛି ସ୍ପଷ୍ଟ ହୋଇପାରିନି । 

ଯୁବକ ଜଣଙ୍କ ବଡ଼ଜଲ ଗ୍ରାମର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଚଢ଼ିଯାଇଛି । ଗତକାଲି ସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସଂପୃକ୍ତ ଯୁବକଙ୍କୁ ଛାତ ଉପରେ ବସିଥିବା ଦେଖି ତଳକୁ ଓହ୍ଲାଇବା ପାଇଁ କହିଥିଲେ । ହେଲେ ଯୁବକ ଜଣଙ୍କ ତଳକୁ ନ ଓହ୍ଲାଇ ବାଟୁଳି ଓ ଧନୁତୀର ଦେଖାଇ ଭୟଭିତ କରିଥିଲା । ପରେ ଘଟଣା ସଂପର୍କରେ ମହୁଲପଦା ଥାନାକୁ ଖବର ଦିଆଯାଇଥିଲା ।

ମହୁଲପଦା ଆଇଆଇସି ସୁରେଶ ପ୍ରଧାନ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତଳକୁ ଓହ୍ଳାଇବାକୁ କହିଥିଲେ । ହେଲେ ସଂପୃକ୍ତ ଯୁବକ ଜଣଙ୍କ ପୋଲିସ ଉପରକୁ ଧନୁତୀର ମାଡ଼ କରିଥିଲା । ଏହି ତୀରଟି ଆଇଆଇସିଙ୍କ ହାତରେ ବାଜିଥିଲା । ଅଧିକ ରାତି ହେବାରୁ ଯୁବକଙ୍କୁ କାବୁ କରିବା ସମ୍ଭବ ହୋଇ ନଥିଲା । ରାତିସାରା ପୋଲିସ ସ୍କୁଲ ଛାତ ଚାରିପାଖେ ଘେରି ରହିଥିଲା । ଆଜି ସକାଳେ ମଧ୍ୟ ପୋଲିସ ଟିମ୍ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରୁଛି । ୨ ପ୍ଲାଟୁନ ଫୋର୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ଆହତ ଆଇଆଇସି କହିଛନ୍ତି, ଯୁବକଙ୍କୁ ଛାତରୁ ତଳକୁ ଓହ୍ଲାବାକୁ ଡାକିବାରୁ ଧନୁତୀର ମାଡ଼ କରିଥିଲା । ତୀରଟି ମୋ ହାତରେ ବାଜିଥିଲା । ଯୁବକଙ୍କୁ କାବୁ କରିବା ପାଇଁ ଚେଷ୍ଟା କରାଯାଉଛି ।