Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି : ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି : ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

କଳାହାଣ୍ଡି, ୨୭।୦୯-କଳାହାଣ୍ଡି ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି। ରାଜ୍ୟର ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପାଇଁ କଳାହାଣ୍ଡି ହିଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି କରାଯିବା ସହିତ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି କଳାହାଣ୍ଡି କୃଷି ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି, ଲେଖକ ଓ ସଂଗଠକ ତଥା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ। ଚାଉଳ ଓ କପାର ବୃହତ ଉତ୍ପାଦନକାରୀ ଜିଲ୍ଲା ରୂପେ ମାନ୍ୟତା ପାଇଛି କଳାହାଣ୍ଡି। ତେବେ କୃଷି ଭିତ୍ତିଭୂମି ଥିବା କଳାହାଣ୍ଡିରେ କୃଷି ସମ୍ବନ୍ଧିତ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ରହିଛି କୃଷି ମହାବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର। କିନ୍ତୁ ଦୀର୍ଘ ଦିନ ହେଲା କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଆସୁଛି। ଜିଲ୍ଲାରେ କଳାହାଣ୍ଡି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗଠିତ ହୋଇଥିଲା କଳାହାଣ୍ଡି କୃଷି ବିଶ୍ୱବିଦ୍ୟାଳୟ କ୍ରିୟାନ୍ବୟନ କମିଟି। ଏହି କମିଟି ନେତୃତ୍ୱରେ ଗତ ୨୦୧୫ ମସିହାରୁ ଦାବି କରାଯିବା ସହିତ ୪୮ଘଣ୍ଟିଆ ବିରାଟ ସର୍ବଦଳୀୟ ଗଣଧାରଣା ଦିଆଯାଇଥିଲା। କେବିକେର କେନ୍ଦ୍ରସ୍ଥଳୀ କଳାହାଣ୍ଡି ହୋଇଥିବାବେଳେ କୃଷି ପ୍ରଧାନ ଏହି ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ହେଉଛି ସର୍ବୋତ୍ତମ ସ୍ଥାନ। କୃଷି କ୍ଷେତ୍ରରେ ଏହି ଜିଲ୍ଲା ବାର୍ଷିକ ୭ ହଜାର କୋଟିରୁ ଉର୍ଦ୍ଧ୍ବ ରାଜସ୍ୱ ପାଉଛି। କଳାହାଣ୍ଡି ବିଶ୍ୱସ୍ଥରୀୟ କପା ଉତ୍ପାଦନ କରି ଦେଶ ବାହାରକୁ ରପ୍ତାନୀ କରୁଛି। ବର୍ଷରେ ୫୦୦କୋଟି ଟଙ୍କାର କପା ଉତ୍ପାଦନ ହେଉଥିବାବେଳେ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟରେ କଳାହାଣ୍ଡି କପାର ଚାହିଦା ବୃଦ୍ଧି ପାଇଛି। ଜିଲ୍ଲାରୁ କପା ରପ୍ତାନୀ କରାଯାଉଥିବାବେଳେ ଅଞ୍ଚଳର କପା ଚାଷୀ ଆର୍ଥିକ ସ୍ୱାବଲମ୍ବୀ ହେବାର ବାଟ ଫିଟିଛି। ଆବଶ୍ୟକୀୟ କୃଷି ଭିତ୍ତିଭୂମି ଥିବା ଯୋଗୁଁ କୃଷି ବିଶ୍ୱବିଦ୍ୟାଳୟ ଆଜି ସମୟର ଆବଶ୍ୟକତା। ଅନ୍ୟପକ୍ଷରେ ଓୟୁଏଟିର ଫିଜିବିଲିଟି ରିପୋର୍ଟ ଆଧାରରେ ବିଚାର କରାଗଲେ ଭବାନୀପାଟଣାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଅନୁକୂଳ ବାତାବରଣ ରହିଛି। ଏଣୁ ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ କମିଟି ତରଫରୁ ଦାବି ହେଉଛି। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ଡ. ନିଆଲଙ୍କ ସହିତ ବରିଷ୍ଠ ବିଜେଡି ନେତା ଟିକେଲାଲ ସାହୁ, ବରିଷ୍ଠ କଂଗ୍ରେସ ନେତା ଉତ୍ସବ ସାହୁ ଉପସ୍ଥିତ ଥିବାବେଳେ ନିରୋଜ ପଟ୍ଟନାୟକ, ପ୍ରଦୀପ କୁମାର ଦାସ, ଧ୍ୟାନାନନ୍ଦ ପଣ୍ଡା, ଦେବୀ ପ୍ରସାଦ ସିନ୍ଦୁର, ପରମାନନ୍ଦ ମାଝୀ, ସୁଶୀଲ କୁମାର ବାଗ, ଧବଳେଶ୍ୱର ମାଝୀ, ଶାନ୍ତିସ୍ୱରୂପ ପଣ୍ଡା, ସୀତାରାମ ନାୟକ ପ୍ରମୁଖ ଦାବି କରିଛନ୍ତି। ସେହିପରି ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି କମିଟିର ଅଧ୍ୟକ୍ଷ ଡ. ନିଆଲ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories