Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧୃକୁଟି ଗାଁରେ ଜାତିଆଣ ଭେଦଭାବ ମାମଲା : ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଟିମ

କଳାହାଣ୍ଡି, ୨୮/୦୯-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ ଧୃକୁଟି ଗାଁରେ ସର୍ବସାଧାରଣ ପାଣି ଟେପରୁ ଦଳିତ ମହିଳାମାନେ ପାଣି ନେବାକୁ ବିରୋଧ କରିବାକୁ ନେଇ ବିବାଦ ଦେଖାଦେଇଥିଲା। ଧୃକୁଟି ଦଳିତ ପଡାର ନଳକୂଅ ଖରାପ ହେବାରୁ ପଡାର ମହିଳାମାନେ ପଡ଼ାକୁ ଲାଗି ଥିବା ପାଣି ଟେପରୁ ପାଣି ଆଣିବାକୁ ଯାଇଥିଲେ। କିନ୍ତୁ ସବର୍ଣ୍ଣ ଶ୍ରେଣୀର ଲୋକେ ଏହାକୁ ବିରୋଧ କରିବା ସହିତ ଗାଳିଗୁଲଜ, ମାରପିଟ କରି ରାସ୍ତା ବନ୍ଦ କରି ଦେଇଥିଲେ। ସବର୍ଣ୍ଣ ମାନେ ଜାତିଆଣ ଆକ୍ଷେପ କରିବା ଓ ରାସ୍ତା ବନ୍ଦ କରିଦେବାରୁ ଦଳିତ ପଡ଼ାର ଲୋକେ ନର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏଟ୍ରୋସିଟି ଆଇନରେ ମାମଲା କରି ଜଣେ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଭାର ଅର୍ପଣ କରିଥିଲା। ଏ ସମ୍ପର୍କରେ ପୀଡିତ ପରିବାର ଓ ପୁଲିସ ସହିତ ବରାବର ଯୋଗାଯୋଗ ରଖିବା ସହିତ ମାମଲାରେ ହସ୍ତକ୍ଷେପ କରିଥିଲା ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ। ଏପରିକି ଫେଡେରେସନର ମହାସଚିବ ତଥା ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧୃକୁଟି ଗାଁ ଗସ୍ତ କରିବା ସହିତ ଗ୍ରାଉଣ୍ଡ ଜିରୋରୁ ଏନେଇ ତଥ୍ୟ ସଂଗ୍ରହ କରିଥିଲେ। ଏହି ପ୍ରତିନିଧି ଦଳରେ ଫେଡେରେସନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଋଷିସୂଦନ ଛତ୍ରପାଲ, ଉପସଭାପତି ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ ପ୍ରମୁଖ ପୀଡିତ ପରିବାରର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଧୃକୁଟି ଦଳିତ ପଡାର ପିଇବା ପାଣି ସମସ୍ୟା ସମ୍ପର୍କରେ ନର୍ଲା ବ୍ଲକ ପ୍ରଶାସନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।