Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଲରେ ଖସିପଡ଼ିଲା ଜଙ୍ଗଲୀ ହାତୀ : ଉଦ୍ଧାର କଲା ବନବିଭାଗ

କଳାହାଣ୍ଡି, ୩୦/୦୯- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପରଲସିଙ୍ଗା- ସଅଁରାପଦର ନିକଟସ୍ଥ ଏକ ଦଶ ଫୁଟ ଗଭୀର ଖାଲରେ ଖସିପଡିଛି ଏକ ଜଙ୍ଗଲୀ ହାତୀ। ପଙ୍କ କାଦୁଅରେ ଭରପୁର ଏହି ଖାଲରେ ପଡିବା ପରେ ହାତୀଟି ବାହାରକୁ ବାହାରି ପାରୁନଥିଲା। ରବିବାର ବିଳମ୍ବିତ ରାତିରେ ହାତୀଟି ଏହି ଖାଲରେ ଖସି ପଡିଥିବାବେଳେ ଖାଲରୁ ବାହାରକୁ ବାହାରିବାକୁ ଅନେକ ସଂଘର୍ଷ କରିଥିଲା। ତେବେ ଆଜି ସକାଳ ହେବାରୁ ହାତୀର ରଡି ଶୁଣି ଗାଁ ଲୋକେ ଖାଲ ନିକଟରେ ରୁଣ୍ଡ ହୋଇଥିଲେ। ସେହିପରି ଖବର ପାଇ କେସିଙ୍ଗା ରେଞ୍ଜରଙ୍କ ସହିତ ଫରେଷ୍ଟର ଓ ବନବିଭାଗର କର୍ମଚାରୀମାନେ ହାତୀକୁ ବାହାର କରିବାକୁ ଉଦ୍ୟମ କରିଥିଲେ। ତେବେ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଏକ ଜେସିବି ଯୋଗେ ଖାଲ ଚାରିପଟେ ଖୋଲାଯାଇ ବାଟ ତିଆରି କରାଯିବା ପରେ ହାତୀଟି ସୁରକ୍ଷିତ ଭାବେ ଖାଲରୁ ବାହାରି ନିକଟସ୍ଥ ବଜ୍ରଗଡ଼ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ହାତୀ ଉପରେ ଏବେ ବି ବନବିଭାଗ ନଜର ରଖିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରଵ ବୃଦ୍ଧି ପାଉଥିବାବେଳେ, ହାତୀ ମଣିଷ ଲଢେ଼ଇରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ଜୀବନ ହାରୁଛି ମଣିଷ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏପରିକି ବଜ୍ରଗଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୩୦ ଟିକିଆ ହାତୀପଲ ଚଳପ୍ରଚଳ କରୁଥିବାବେଳେ ସେହି ପଲରୁ ଏହି ହାତୀଟି ଭୁଲବଶତଃ ଖାଲରେ ପଡିଯାଇଥିଲା। ହାତୀ ଦେଖିବାକୁ ବହୁ ଭିଡ଼ ଜମିଥିଲା। ଜିଲ୍ଲାରେ ଧିରେ ଧିରେ ଜଙ୍ଗଲ ସମ୍ପଦ ଧ୍ବଂସ ହେଉଥିବାବେଳେ ସୃଷ୍ଟି ହେଉଛି କଂକ୍ରିଟ ଜଙ୍ଗଲ। ଏବଂ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଜଙ୍ଗଲୀ ଜୀବ ହାତୀ ଏବେ ଜନବସତି ଆଡ଼କୁ ଚାଲି ଆସୁଥିବା ଦେଖିବାକୁ ମିଳିଛି।